ମୁହଁ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ! କହିଲେ, ଯାହା କହିବି ନାଗପୁରରେ କହିବି

29

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ଜୁନ୍ ୭ ତାରିଖରେ ନାଗପୁରରେ ଆୟୋଜିତ ଆରଏସଏସ୍ କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ସ୍ପଷ୍ଟ ହୋଇଯାଇଛି। ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବ ଯୋଗ ଦେଉଥିବାରୁ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରିିକି ପ୍ରଣବ ତୃତୀୟ ମେଣ୍ଟ ଆଡ଼କୁ ଢ଼ଳୁଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏହାସହ କଂଗ୍ରେସ ମଧ୍ୟ ଏଥିରେ ପ୍ରଶ୍ନ ଉଠାଇଥିଲା । ତେବେ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଣବ କହିଛନ୍ତି, ସେ ଯାହା କହିବେ ନାଗପୁରରେ ହିଁ କହିବେ। ଏହି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅନେକ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଣବଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନ ପ୍ରଣବଙ୍କୁ ଚିଠି ଲେଖି ତାଙ୍କର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ଅନୁରୋଧ କରିଛନ୍ତି।

କିନ୍ତୁ ପ୍ରଣବ କୌଣସି ଚିଠିର ଉତ୍ତର ନଦେଇ ସେ ଏ ବାବଦ ବକ୍ତବ୍ୟ ନାଗପୁରରେ ହିଁ ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାପାଇଁ ଅନେକ ଥର ଫୋନ୍ କଲ୍ ଏବଂ ଚିଠି ପାଇଥିଲେ ମଧ୍ୟ ସେ କୌଣସି ଗୋଟିଏର ଉତ୍ତର ମଧ୍ୟ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ କଂଗ୍ରେସ ନେତା ତଥା ଜୟରାମ ରମେଶ, ସିକେ ଜାଫର ସରିଫ ଏବଂ ରମେଶ ଚେନିତାଲା ପ୍ରଣବ ମୁଖାର୍ଜୀଙ୍କୁ ପତ୍ର ଲେଖି ତାଙ୍କ ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। କେରଳ ବିଧାନସଭାରେ ବିରୋଧୀ ଦଳର ନେତା ରମେଶ ଚେନିତାଲା କହିଥିଲେ ଯେ ପ୍ରଣବଙ୍କ ନିଷ୍ପତ୍ତି ଧର୍ମନିରପେକ୍ଷ ମେଣ୍ଟକୁ ଧକ୍କା ହୋଇଛି।