ଆଜି ନାଗପୁରରେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ : ସାରା ଦେଶର ନଜର, କଣ କହିବେ ପ୍ରଣବ ?

38

କନକ ବ୍ୟୁରୋ : ଆଜି ନାଗପୁରରେ ଆରଏସଏସର କାର୍ଯ୍ୟକ୍ରମରେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଏଥିପାଇଁ ଗତକାଲି ନାଗପୁରରେ ପହଂଚିଛନ୍ତି ଏହି ଭେଟେରାନ କଂଗ୍ରେସ ନେତା । ଗତ ୫୦ବର୍ଷ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ସାମ୍ପ୍ରଦାୟିକ ବୋଲି କହି ଆସୁଥିବା କଂଗ୍ରେସ ଦଳର ଏହି ପୁରୁଖା ନେତା ଆଜି ନାଗପୁରରେ କଣ କହିବେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଆରଏସଏସର ଏହି ବାର୍ଷିକ କାର୍ଯ୍ୟକ୍ରମ ‘ତୃତୀୟ ବର୍ଷ ବର୍ଗ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଅଭିଭାଷଣ ରଖିବେ ପ୍ରଣବ ମୁଖାର୍ଜୀ । ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏପରିକି ଆରଏସଏସ ନେତାଙ୍କ ସହ ରାତ୍ରିଭୋଜନରେ ମଧ୍ୟ ଯୋଗ ଦେଇଛନ୍ତି ପ୍ରଣବ ।

source: google news

ତେବେ ଆରଏସଏସର ବିଚାରଧାରା କଂଗ୍ରେସର ବିପରୀତ ହୋଇଥିବାରୁ ଆଜି ପ୍ରଣବ କଣ କହିବେ ତା ଉପରେ ସାରା ଦେଶର ନଜର ରହିଛି । କାରଣ ଆରଏସଏସର ଏହି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଯୋଗଦେବା ନେଇ ସୃଷ୍ଟି ହୋଇଛି ବିବାଦ । ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ କଂଗ୍ରେସ ତାଙ୍କୁ ଅନୁରୋଧ ମଧ୍ୟ କରିଥିଲା । ଆଜୀବନ କଂଗ୍ରେସରେ ରହିଥିବା ପ୍ରଣବ, ଆରଏସଏସ ବୈଠକରେ ଯୋଗ ଦେବା ଉଚିତ ନୁହେଁ ବୋଲି କଂଗ୍ରେସ କହିଥିଲା । ତେବେ ସେ ଯାହା କହିବେ, ନାଗପୁରରେ କହିବେ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରଣବ ମୁଖାର୍ଜୀ ।

ପ୍ରତିବର୍ଷ ଆଜିର ଦିନରେ ନାଗରପୁରରେ ଆରଏଏସର ସଂଘ ଶିକ୍ଷାବର୍ଗ ସମାପନ ସମାରୋହ ହୋଇଥାଏ । ପ୍ରତିବର୍ଷ ମେ ୧୪ ତାରିଖରୁ ଜୁନ ୭ ତାରିଖ ଯାଏଁ ଦେଶର ବିଭିନ୍ନ ସ୍ଥାନର ସ୍ୱଂୟସେବକ ପ୍ରଶିକ୍ଷଣ ପାଇଁ ଆସିଥାନ୍ତି । ଆଜି ତାର ସମାପନ ହୋଇଥାଏ । ସଂଘ ନେତାଙ୍କ କହିବା ଅନୁସାରେ, ମହାତ୍ମାଗାନ୍ଧି ୧୯୩୪ ମସିହାରେ ଆରଏଏସ ଶିବିରକୁ ଆସିଥିଲେ । ୧୯୪୭ ମସି୍ହାରେ ଦିଲ୍ଲୀରେ ସ୍ୱଂୟସେବକଙ୍କୁ ସମ୍ବୋଧନ କରିଥିଲେ ଓ ଆରଏସଏସ କାର୍ଯ୍ୟକୁ ପ୍ରଂଶସା କରିଥିଲେ ।

pranab-mukherjee
image courtesy-http://img01.ibnlive.in

୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧରେ ସ୍ୱଂୟସେବକଙ୍କ ସେବାରେ ପ୍ରଭାବିତ ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ଆଉ ସେ ୧୯୬୩ରେ ସାଧାରଣତନ୍ତ୍ର ଦିବସ ପରେଡରେ ସଂଘକୁ ଆମନ୍ତ୍ରିତ କରିଥିଲେ । କୁହାଯାଏ, ପ୍ରଣବ ହେଉଛନ୍ତି ଶଦ୍ଦର ଯାଦୁଗର । ତେଣୁ ଆଜି ସମସ୍ତଙ୍କ ନଜର ରହିବ ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ କଣ କହୁଛନ୍ତି । ସେ ସଂଘ ବିଚାରଧାରକୁ ପ୍ରଂଶସା କରୁଛନ୍ତି ନା ଏଥିରେ ପରବର୍ତନ ପାଇଁ କହୁଛନ୍ତି । କାରଣ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ଟ୍ୱିଟ କରି ଆରଏସଏସ ଓ ବିଜେପିକୁ ସମାଲୋଚନା କରିଛନ୍ତି ।