ପ୍ରମୋଦ ମିଶ୍ର ଦେଶର ସର୍ବାଧିକ କ୍ଷମତାଶାଳୀ ପ୍ରଶାସକ !

32

କନକ ବ୍ୟୁରୋ : (ସମ୍ବଲପୁର)- ପ୍ରମୋଦ ମିଶ୍ର ଦେଶର ସର୍ବାଧିକ କ୍ଷମତାଶାଳୀ ପ୍ରଶାସକ ବିବେଚିତ ହୋଇଛନ୍ତି । ମାସିକ ପତ୍ରିକା ‘ବ୍ୟୁରୋକ୍ରେସି ଟୁଡେ’ ପକ୍ଷରୁ କରାଯାଇଥିବା ଅନଲାଇନ ପୋଲ୍‌ ସର୍ଭେ(ବିଟି ପୁଲ୍‌ ସର୍ଭେ)ରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ପ୍ରମୋଦ ମିଶ୍ରଙ୍କୁ ସର୍ବାଧିକ ୮୩.୭ ପ୍ରତିଶତ ଭୋଟ୍‌ ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ନୃପେନ୍ଦ୍ର ମିଶ୍ର, କ୍ୟାବିନେଟ ସଚିବ ପି.କେ.ସିହ୍ନା, ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖଙ୍କୁ ପ୍ରମୋଦ ପଛରେ ପକାଇ ଦେଇଛନ୍ତି । ‘ମୋଦିଙ୍କ ଶାସନକାଳରେ ସର୍ବାଧିକ କ୍ଷମତାଶାଳୀ ପ୍ରଶାସକ(ବ୍ୟୁରୋକ୍ରାଟ) କିଏ’ ବୋଲି ଏହି ଅନଲାଇନ୍‌ ସର୍ଭେ ହୋଇଥିଲା ।

ଏହି ସର୍ଭେରେ ଆଇନଜୀବୀ, ଡାକ୍ତର, ରିସର୍ଚ ସ୍କଲାର, ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ସମେତ କର୍ପୋରେଟ ସେକ୍ଟରରେ କାମ କରୁଥିବା ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ହୋଇଥିବା ଅନ୍ୟ ଏକ ସର୍ଭେରେ ଭାରତର ସର୍ବାଧିକ ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରମୋଦ ୧୬ ନମ୍ବରରେ ସ୍ଥାନରେ ରହିଥିଲେ ।

ପ୍ରମୋଦ ଜିଏମ୍‌ କଲେଜରେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରି ହାସଲ କଲା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ସେ ଓଡ଼ିଶାର ରେଂଗାଲି ଡ୍ୟାମ୍‌ ପ୍ରକଳ୍ପ ଦାୟିତ୍ୱରେ କିଛିଦିନ କାମ କରିିଥିଲେ । ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଗୁଜୁରାଟର ପ୍ରମୁଖ ଶାସନ ସଚିବ ପଦରେ କାର୍ଯ୍ୟ କରିିଥିଲେ ।