ବିଜେଡି, ବୈଜୟନ୍ତ ଓ ବିବାଦ ! ସାଂସଦଙ୍କ ବିରୋଧରେ କର୍ମୀଙ୍କ ଅଭିଯୋଗ ପରେ ତଦନ୍ତ କରୁଥିବା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ କହିଲେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଦେବି ରିପୋର୍ଟ

32

କନକ ବ୍ୟୁରୋ : କେନ୍ଦ୍ରାପଡା, ବିଜେଡି, ବୈଜୟନ୍ତ ଓ ବିବାଦ । ସାଂସଦଙ୍କ ବିରୋଧରେ କର୍ମୀଙ୍କ ଅଭିଯୋଗର ତଦନ୍ତ କରୁଥିବା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କ ସହ କଥା ହୋଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଆଜି ଫୋନ ଯୋଗେ ସାଂସଦ କଥା ହୋଇଥିବା କହିଛନ୍ତି ପ୍ରମିଳା । ତେବେ ସେ ଯାହା ପଚାରିଛନ୍ତି ବୈଜୟନ୍ତ ତାର ଉତ୍ତର ରଖିଛନ୍ତି । କର୍ମୀ, ସ୍ଥାନୀୟ ନେତା ଓ ସାଂସଦଙ୍କ ସହ ହୋଇଥିବା ଆଲୋଚନାକୁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥାର ଦଳୀୟ ସୁପ୍ରିମୋଙ୍କୁ ତଦନ୍ତ ରିପୋର୍ଟ ଦେବେ ପ୍ରମିଳା ମଲ୍ଲିକ ।

ସୂଚନାଯୋଗ୍ୟ ପ୍ରାୟ ୪/୫ ଦିନ ପୂର୍ବରୁ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା । ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠିର ସୁଷମ ବଣ୍ଟାନ କରାଯାଉ । ଏ ସଂପର୍କରେ ସେତେବେଳେ ଖବରକାଗଜରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି । ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି । ବିଜେଡି କର୍ମୀ ଆହୁରି ଅଭିଯୋଗ କରିଛନ୍ତି, ଗତବର୍ଷ ମହାକାଳପଡ଼ାରେ ଅନୁଷ୍ଠିତ ଏକ ଜନସଭାରେ କିଛି ନିର୍ଦିଷ୍ଟ ଅପରାଧୀଙ୍କୁ ଧରି ସାଂସଦ ପହଞ୍ଚିଥିଲେ ।

ଏଥିଯୋଗୁଁ ସେ ସ୍ଥାନୀୟ ଜନତାଙ୍କ ରୋଷର ଶିକାର ହୋଇଥିଲେ। ଦଳର ହିତ ହେବା ଭଳି ସେ କାର୍ଯ୍ୟ କରୁନାହାନ୍ତି । ବରଂ ସ୍ଥାନୀୟ ଅଞ୍ଚଳର ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସାଙ୍ଗରେ ନିର୍ଦିଷ୍ଟ କିଛି ବିଜେପି ନେତାଙ୍କୁ ନେଇ ଯାଉଛନ୍ତି ଓ ବିରୋଧୀ ଦଳ କର୍ମୀ ଏବଂ ନେତାଙ୍କ ସହିତ ବସୁଛନ୍ତି । ଦୁଇଦିନ ତଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା ।

ଉଲ୍ଲେଖ ଥାଉକି, ନିଶ୍ଚିନ୍ତକୋଇଲି ବ୍ଲକରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗକୁ ନେଇ ବିଜେଡି ବିବାଦ ପଦାକୁ ଆସିଥିଲା । ଶ୍ରୀ ପଣ୍ଡା ଏହି ଘଟଣାରେ ଖୋଲାଖୋଲି ତୃତୀୟ ମହଲାକୁ ଆଙ୍ଗୁଠି ଉଠାଇବା ପରେ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଥିଲା । ସାଂସଦ ଶୃଙ୍ଖଳାର ସବୁ ସୀମା ସରହଦ ଡେଇଁ ସାରିଲେଣି ବୋଲି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ପୂର୍ବରୁ କହିଥିଲେ । ଏହା ସତ୍ତ୍ୱେ ସେ ଥମିନଯାଇ କେତେବେଳେ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ପ୍ରତିକ୍ରିୟା ରଖୁଥିଲେ ତ ଆଉ କେତେବେଳେ ଟ୍ଵିଟ୍ କରି ଦଳୀୟ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ।