ପୂର୍ବରୁ କେବଳ ଆକାଶରେ ଦେଖିଥିଲେ ହେଲିକପ୍ଟର, ଏବେ ନବୀନଙ୍କ ସହଯାତ୍ରୀ ସାଜିଲେ ପରୀ ମା’ । ଟ୍ୱିଟ୍ କରି ଫଟୋ ଛାଡିଲେ ବିଜେଡି ସୁପ୍ରିମୋ ।

743

କନକ ବ୍ୟୁରୋ : ୭୦ ବର୍ଷ ବୟସରେ ପୂରଣ ହେଲା ସ୍ୱପ୍ନ । ଦୀର୍ଘ ବର୍ଷ ପରେ ଆକାଶରେ ଉଡିଲେ ପରୀ ମା’ । ଯିଏ ଦିନେ କେବଳ ହେଲିକପ୍ଟର ଓ ଉଡାଜାହାଜକୁ ଆକାଶରେ ଉଡିବାର ଦେଖିଥିଲେ ଆଜି ସେ ହେଲିକପ୍ଟରରେ ବିଜେଡି ସୁପ୍ରିମୋଙ୍କର ସାଜିଛନ୍ତି ସହଯାତ୍ରୀ । ଆକାଶପୃଷ୍ଠରୁ ନିଜ ଅଞ୍ଚଳକୁ ଦେଖି ବେଶ ଖୁସି ହୋଇଯାଇଥିଲେ ପରୀ ମା’ । ଆମେ କହୁଛୁ ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ପରୀ ମା’ ଓରଫ ପ୍ରମିଳା ବିଶୋୟୀଙ୍କ କଥା ।

ବେକରେ ବିଜେଡି ଉତ୍ତରୀୟ, ପାଖରେ ସହଯାତ୍ରୀ ଭାବେ ବସିଥାନ୍ତି ବିଜେଡି ସୁପ୍ରିମୋ । ମଝି ଆକାଶରେ ଚାଲିଥିଲା ଗରମାଗରମ ଆଲୋଚନା । ଆଉ ଏହି ଆଲୋଚନାରେ ଭାଗ ନେଇଥିବା ଅନ୍ୟ ଜଣେ ଚର୍ଚ୍ଚିତ ଚେହେରା ଥିଲେ ଆସ୍କା ସାଂସଦ ପ୍ରାର୍ଥୀ ପ୍ରମିଳା ବିଶୋୟୀ । ପ୍ରମିଳାଙ୍କୁ ନେଇ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । କେବଳ ମଞ୍ଚ ଉପରେ ନୁହେଁ ହେଲିକପ୍ଟରରେ ସାଥୀରେ ନେବା ସହ ପ୍ରମିଳାଙ୍କୁ ପୂରା ଆସ୍କା ନିର୍ବାଚନମଣ୍ଡଳୀ ବୁଲାଇଛନ୍ତି ନବୀନ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ପୂର୍ବରୁ କେବେ ହେଲିକପ୍ଟରରେ ବସିବା ତ ଦୂରର କଥା ପାଖରୁ ଦେଖିନଥିବା ପରୀ ମା’ଙ୍କ ହେଲିକପ୍ଟରରେ ବସିବା ସ୍ୱପ୍ନକୁ ପୂରା କରିଛନ୍ତି ବିଜେଡି ମୁଖିଆ ।


ରୋକଠୋକ କହୁଥିବା ପ୍ରମିଳା ମଝି ଆକାଶରେ ମଧ୍ୟ ନବୀନଙ୍କ ସହ ଗରମାଗରମ ଆଲୋଚନା କରିବାକୁ ଭୁଲି ନାହାନ୍ତି । ଆଉ ନବୀନ ମଧ୍ୟ ପ୍ରମିଳାଙ୍କ କଥା ଶୁଣି ସ୍ମିତ ହାସ୍ୟ ଦେଉଥିବାର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏପରିକି ନବୀନ ନିଜେ ଏହାର ଫଟୋ ନିଜର ଟ୍ୱିଟର ପେଜରେ ସେୟାର କରିଛନ୍ତି । ମିଶନ ଶକ୍ତିର ସଦସ୍ୟାଙ୍କୁ ପାଲାର୍ମେଣ୍ଟରେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ନବୀନ ।

ଏହା ପ୍ରଥମ ଥର ନୁହେଁ ଯେବେ ନବୀନ ମହିଳାଙ୍କୁ ଦେଖାଇଥିବା ସ୍ୱପ୍ନ ପୂରଣ କରିଛନ୍ତି । ଏହାପୂର୍ବରୁ ସଂସଦକୁ ୩୩ ପ୍ରତିଶତ ମହିଳା ପଠାଇବାକୁ ନବୀନ ଯେଉଁ କଥା ଦେଇଥିଲେ ତାହା ଅନୁଯାୟୀ ଲୋକସଭାର ୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ନିଜ କଥା ରଖିଥିଲେ ନବୀନ । ଏପରିକି ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ପୋତ୍ସାହନ ଦେଇ ଆସିଛନ୍ତି ନବୀନ । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାର ସୁବିଧା ଦେଇ ମହିଳାଙ୍କ ମନ ଜିଣିବାକୁ ସବୁବେଳେ ପ୍ରୟାସ କରି ଆସିଛନ୍ତି ନବୀନ । ଖାସକରି ଯେତେବେଳେ ନବୀନ ଆସ୍କା ଲୋକସଭା ପ୍ରାର୍ଥୀ ଭାବେ ପ୍ରମିଳାଙ୍କ ନାଁ ଘୋଷଣା କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଜଣେ ସାଧାରଣ ଏସଏଚଜି ମହିଳା ପ୍ରମିଳାଙ୍କୁ ପାର୍ଲାମେଣ୍ଟ ପଠାଇବାକୁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ ତାହାକୁ ଚାରିଆଡୁ ପ୍ରଂଶସା କରାଯାଇଥିଲା ।