ହାତ ଛାଡିବେ କି ସାଲେପୁର ବିଧାୟକ? ପୋଷ୍ଟରରେ ନବୀନଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଲେ ପ୍ରକାଶ ବେହେରା

229

କନକ ବ୍ୟୁରୋ : ଚର୍ଚ୍ଚାରେ ସାଲେପୁର ବିଧାୟଙ୍କ ଫଟୋ ଥିବା ପୋଷ୍ଟର । ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନଜର ଆସୁଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ସାଲେପୁର ନିର୍ବାଚନ ମଣ୍ଡଳୀରେ ପିଠା କାର୍ଯ୍ୟକ୍ରମରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ପ୍ରକାଶ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନଙ୍କ ସହ ପ୍ରକାଶଙ୍କ ଫଟୋକୁ ନେଇ ଏବେ ରାଜନୈତିକ ମହଲରେ ଚାଲିଛି ଜୋରଦାର ଆଲୋଚନା । ସେପଟେ ପୂର୍ବତନ ସାଂସଦ ହେମା ଗମାଙ୍ଗ କଂଗ୍ରେସରେ ଖୁବଶୀଘ୍ର ଯୋଗଦେବା ନେଇ ସଙ୍କେତ ଦେଇଛନ୍ତି  । ତେବେ ହେମାଙ୍କ ଘରବାହୁଡାକୁ ବିରୋଧ କରିଛନ୍ତି ତାରା ପ୍ରସାଦ ବାହିନୀପତି ।

ସାଲେପୁର ନିର୍ବାଚନ ମଣ୍ଡଳୀର ଚମ୍ପତିରେ ଲାଗିଥିବା ଫଟୋ ପୋଷ୍ଟର ଗେଟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା । ପୋଷ୍ଟରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ପିଠା କାର୍ଯ୍ୟକ୍ରମ ପୋଷ୍ଟରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏ ନେଇ ପ୍ରକାଶ  ବେହେରା କହିଛନ୍ତି, ପୋଷ୍ଟର ସେ ନିଜେ ଲଗାଇନାହାନ୍ତି, ତାଙ୍କର କେହି ସମର୍ଥକ ଲଗାଇଥାଇପାରନ୍ତି ।  ଦୀର୍ଘଦିନ ଧରି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ଏପରିକି ସେ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ବି ଚାଲିଛି । ଆଉ ଏହି ସମୟରେ ଏପରି ପୋଷ୍ଟର ରାଜନୈତିକ ଦୃଷ୍ଟିକୋଣରୁ ଅନେକ ପ୍ରଶ୍ନ ଠିଆ କରିଛି ।

ସେପଟେ ଘରକୁ ବାହୁଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ପୂର୍ବତନ ସାଂସଦ ହେମା ଗମାଙ୍ଗ । ହେମା ଦିଲ୍ଲୀରେ ଏଆଇସିସି ନେତାଙ୍କ ସହ କଥାବାର୍ତା ଜାରି ରଖିଛନ୍ତି । ଆସନ୍ତା ୧୫ ତାରିଖରେ ଓଡିଶା ଫେରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଏନେଇ କଥା ହେବେ ଆଉ ତାପରେ ଯାଇ ଯାହା ନିଷ୍ପତି ନିଆଯିବ । ଅନ୍ୟପକ୍ଷରେ ହେମାଙ୍କ ଘରବାହୁଡାକୁ ବିରୋଧ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ଏବେ ଦଳବଦଳ ସମୟ । ଦଳକୁ କେହି ଆସିଲେ କି ଗଲେ କିଛି ଫରକ ପଡିବନି ବୋଲି କହିଛନ୍ତି ତାରା । ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକ ହେମାଙ୍କ ଯୋଗଦାନ ନେଇ ହେଉଥିବା ଚର୍ଚ୍ଚାକୁ ଅତି ହାଲକା ଭାବେ ନେଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଭିତରେ ସେତିକି ଛନକା ପଶୁଛି । ପୁଣିଥରେ ନିର୍ବାଚନ ଜିତି ବିଧାୟକ ହେବା ପାଇଁ ଅଙ୍କ କଷୁଛନ୍ତି ନେତା ।