ପ୍ରକାଶ ବେହେରାଙ୍କ ସାଲେପୁର ସଂକେତ! ହାତ ନୁହେଁ ଶଙ୍ଖ ସାଜିପାରେ ଟ୍ରମ୍ପକାର୍ଡ? 

590

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇସାରିଛି ମୈଦାନ । କେବଳ ଯୁଦ୍ଧର ବିଗୁଲ ବାଜିବାକୁ ଅପେକ୍ଷା । ଏପରିକି ଚଳିତ ଥର ରାଜ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏଭଳି ସମୟରେ ସାଲେପୁର ସୁରବୀର ତଥା କଂଗ୍ରେସ ବିଧାୟକ ପ୍ରକାଶ ବେହେରା କେଉଁ ପକ୍ଷରୁ ଲଢିବେ ତାହାକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଏପରିକି ପ୍ରକାଶ ମଧ୍ୟ ଏହି ସସପେନ୍ସ ଉପରୁ ପରଦା ଉଠାଇବାକୁ ଚାହୁନାହାନ୍ତି ।  ଲାଗୁଛି ସତେ ଯେମିତି ୨୦୧୯ ନିର୍ବାଚନ ପାଇଁ ପ୍ରକାଶ ଖୋଜୁଛନ୍ତି ସେଫ୍ ଜୋନ୍ । ଯେଉଁଠାରେ ତାଙ୍କର ଶତପ୍ରତିଶତ ବିଜୟ ସମ୍ଭାବନା ରହିଥିବା ।

ଏଭଳି କହିବା ପଛରେ ମଧ୍ୟ ବଡ କାରଣ ରହିଛି । ପ୍ରକାଶଙ୍କ ବୟାନ ଏଭଳି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଦଳୀୟ ବ୍ରାଣ୍ଡ ଅପେକ୍ଷା ନିଜର ବ୍ରାଣ୍ଡ ଭାଲ୍ୟୁ ଅଧିକ ବୋଲି ପରୋକ୍ଷରେ କହିଛନ୍ତି ପ୍ରକାଶ । ଏପରିକି ଗତ ୨୯ ତାରିଖରେ ପଦଯାତ୍ରାରେ ଏହାର ଝଲକ ଦେଖିବାକୁ ମିଳିଥିବା କହିଛନ୍ତି ପ୍ରକାଶ । ଯେତେବେଳେ ବିନା ଦଳୀୟ ପତାକାରେ ଏକ ବିରାଟ ପଦଯାତ୍ରା କାର୍ଯ୍ୟକ୍ରମ କରିଥିଲେ ସାଲେପୁର ବିଧାୟକ । ଏହି ପଦଯାତ୍ରା ମାଧ୍ୟମରେ ନିଜର ଲୋକପ୍ରିୟତାକୁ ପରଖି ଥିଲେ ପ୍ରକାଶ ।  ‘ଆମେ ନୁହେଁ ମୁୁଁ’ ଲୋକପ୍ରିୟତାକୁ ନେଇ ଦମ୍ଭ ଦେଖାଇଛନ୍ତି ପ୍ରକାଶ ।

ଗୋଟିଏ ପଟେ କଂଗ୍ରେସ ସମସ୍ତ ବିଧାୟକଙ୍କ ଟିକେଟ ମିଳିବା ନେଇ ଘୋଷଣା କରିଥିବା ବେଳେ ପ୍ରକାଶ ବେହେରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଅଥାର୍ତ କଂଗ୍ରେସ ଟିକେଟରୁ ପ୍ରକାଶ ବେହେରା ଏକରକମ ଲଢିବା ସ୍ଥିର ହୋଇଯାଇଥିବା ବେଳେ ପ୍ରକାଶ କିନ୍ତୁ ଏଥିରେ ୟୁଟର୍ଣ୍ଣ ମାରିଛନ୍ତି । କଂଗ୍ରେସ ଟିକେଟରୁ ଲଢିବେ କି ନାହିଁ ସେନେଇ ମୁହଁ ଖୋଲି ନାହାନ୍ତି ପ୍ରକାଶ । ଆଉ ପ୍ରକାଶଙ୍କ ମଉନ ରହିବା ହିଁ ସୂଚାଉଛି ନିର୍ବାଚନ ପୂର୍ବରୁ ସାଲେପୁର ରାଜନୀତିରେ ବଡ ଧରଣର ହଟଚମଟ ସୃଷ୍ଟି ହୋଇପାରେ ।

କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ନେଇ ଚୁପ୍ ରହିଥିଲେ ମଧ୍ୟ ସାଲେପୁର ଲଢିବା ନେଇ ଦମ୍ଭ ଦେଖାଇଛନ୍ତି ପ୍ରକାଶ । ସାଲେପୁରରେ ମୋ ସଙ୍ଗଠନ ଯଥେଷ୍ଟ ଭଲ ସ୍ଥିତିରେ ଅଛି ଓ ନିର୍ବାଚନ ଲଢିବି ବୋଲି ସିଧାସଳଖ କହିଛନ୍ତି ପ୍ରକାଶ । କିନ୍ତୁ ୨୦୧୯ ନିର୍ବାଚନ ଯୁଦ୍ଧରେ ସାଲେପୁରର ଏହି ଯୋଦ୍ଧା କେଉଁ ଶିବିରରୁ ଲଢିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ପଟେ ପ୍ରକାଶଙ୍କର କଂଗ୍ରେସ ଟିକେଟ ଏକରକମ ଫାଇନାଲ ହୋଇଥିବା ବେଳେ ଅନ୍ୟପଟେ ପ୍ରକାଶ ହାତ ଛାଡି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୯ ନିର୍ବାଚନ ଯୁଦ୍ଧରେ ଏହି ଯୋଦ୍ଧା ଜଣକ ନିଶ୍ଚିତ ବିଜୟ ଆଶାରେ ମୈଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି । ନିଜର ବ୍ରାଣ୍ଡ ଭାଲ୍ୟୁ (ଲୋକପ୍ରିୟତା) ଓ ସବୁଜ ଶିବିରର ଭୋଟବ୍ୟାଙ୍କ ବଳରେ ନିର୍ବାଚନୀ ବୈତରଣୀ ପାର ହେବାକୁ ସାଲେପୁର ବିଧାୟକ ଲକ୍ଷ୍ୟ ରଖିଥିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ନେଇ ମୌନ ରହିବାକୁ ଉଚିତ୍ ମଣିଛନ୍ତି ପ୍ରକାଶ ।