ଗୁରୁପ୍ରିୟା ପାଇଁ ମାଓ ସମର୍ଥକଙ୍କ ପ୍ରଜାମେଳି ! ଚାଷୀ ମାରଣ ନୀତି ପାଇଁ ନବୀନଙ୍କ ବିରୋଧରେ ବର୍ଷିଲେ, ଫସଲ ନଷ୍ଟ କ୍ଷତିପୂରଣ ଦେବାକୁ ଦାବି ।

41

କନକ ବ୍ୟୁରୋ : ଗୁରୁପ୍ରିୟାକୁ ବିରୋଧ କରି ମାଓ ସମର୍ଥକଙ୍କ ପ୍ରଜାମେଳି । ସରକାରୀ ସହାୟତା ଦାବିରେ ୫ଟି ପଂଚାୟତର ପ୍ରାୟ ୫ହଜାର ମାଓ ସମର୍ଥକ ପ୍ରଜାମେଳି କରିଛନ୍ତି । ନବୀନ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିଛନ୍ତି । ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ସ୍ୱାଭିମାନ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାଷଜମି ପାଣିରେ ବୁଡିଯିବା ପରେ କୌଣସି ସରକାରୀ ଅଧିକାରୀ କ୍ଷୟକ୍ଷତିର ଆକଳନ କରିବାକୁ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ସ୍ୱାଭିମାନ ଅଂଚଳରେ ସରକାର ବିରୋଧୀ ନାରା । ଗୁରୁପ୍ରିୟା ସେତୁକୁ ବିରୋଧ । ଜଳଭଣ୍ଡାର ଜଳସ୍ତର କମାଇବାକୁ ମେଳି । ଘଟଣା ହେଉଛି ସ୍ୱାଭିମାନ ଅଂଚଳର ବେଜିଙ୍ଗ ଗାଁର । ୫ଟି ଗ୍ରାମ ପଂଚାୟତର ୫ହଜାରରୁ ଅଧିକ ଲୋକ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ପୋଷ୍ଟର ଏବଂ ବ୍ୟାନରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, ସ୍ୱାଭିମାନ ଅଂଚଳରେ ଘର ଦ୍ୱାର ଚାଷଜମି ଏବେ ବି ଜଳମଗ୍ନ । ଚାଷ ଜମିରେ ଅଂଟାଏ ଅଂଟାଏ ପାଣି ।

ପୁଣି ଚିନ୍ତା ବଢାଇଛି ଗୁରୁପ୍ରିୟା । ଜମିରୁ ପାଣି ଛାଡୁନି । ଖାଇବା ସାମଗ୍ରୀର ଅଭାବ ସାଙ୍ଗକୁ ବିଦ୍ୟୁତ ସଂଯୋଗ ନାହିଁ । ମିଳୁନି ସ୍ୱାସ୍ଥ୍ୟ ସେବା । ଯୋଡାମ୍ବ, ପଣସପୁଟ, ଯନ୍ତ୍ରୀ ଏହିପରି ୫ଟି ପଂଚାୟତର ଅବସ୍ଥା ସଙ୍ଗୀନ । ସରକାରୀ ସହାୟତା କଥା ଛାଡ, ଫସଲ କ୍ଷୟକ୍ଷତିର ଆକଳନ ପାଇଁ କୌଣସି ସରକାରୀ ଅଧିକାରୀ ଆସୁନଥିବା ସେମାନେ ଅଭିଯୋଗ କରିଛନ୍ତି । ବିପ୍ଲବୀ ଆଦିବାସୀ ଚାଷୀ ମୂଲିଆ ସଂଘର ନେତୃତ୍ୱରେ ପ୍ରଜାମେଳି କରି ସ୍ୱାଭିମାନ ଅଂଚଳବାସୀ ଏହି ପରି ଦାବି ଉପସ୍ଥାୁପନ କରିଛନ୍ତି ।

କମୁଛି ବାଲିମେଳା ଜଳସ୍ତର । ଛାଡୁନି ପାଣି, ବଢୁଛି ଦୁର୍ଦ୍ଦଶା । ଗତ ୨ମାସ ଧରି ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା । ଫଳରେ ଜଳଭଣ୍ଡାରରେ ଜଳସ୍ତର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ବାଲିମେଳା ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୧୭ ଫୁଟ ରହିଥିବା ବେଳେ ଜଳଭଣ୍ଡାରରୁ ନିଷ୍କାସନ ହେଲା ଜଳ । ବର୍ତମାନ ଜଳସ୍ତର ରହିଛି ୧୫୧୪ ଫୁଟ । ତଥାପି କମୁନାହିଁ ସ୍ୱାଭିମାନ ଅଂଚଳବାସୀଙ୍କ ଦୁର୍ଦ୍ଦଶା । ଏବେ ଫଶଲ ନଷ୍ଟ ହୋଇଥିବାରୁ ଚିନ୍ତାରେ ଚାଷୀ ।