ଅନୁଗୁଳ ତୁକୁଡା ଗାଁରେ କଙ୍ଗାରୁ କୋର୍ଟ: ଗାଁ କମିଟିକୁ ନଜଣାଇ ପୁଅ ବାହାଘର କରିବାରୁ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ ସହ ଜରିିମାନା

61

କନକ ବ୍ୟୁରୋ: ଗାଁ କମିଟିକୁ ନଜଣାଇ ପୁଅ ବାହାଘର କରିଥିବାରୁ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି ଗାଁ ଲୋକ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡ଼ା ଗାଁରୁ ଆସିଛି ଏପରି ଅଭିଯୋଗ ।ବିଶ୍ୱନାଥ ସାହୁ, ଗାଁ କମିଟିକୁ ନଜଣାଇ ତାଙ୍କ ପୁଅ ବାହାଘର କରିଥିଲେ । ଯେଉଁଥି ପାଇଁ ଏହି ପରିବାରକୁ କୌଣସି ସହଯୋଗ ନକରିବା ପାଇଁ ଢୋଲ ବଜାଇ ଗାଁ ଲୋକଙ୍କୁ ଜଣାଇ ଦିଆଯାଇଛି । ଏହି ଭୁଲ ପାଇଁ ବିଶ୍ୱନାଥଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା କରିଥିଲା ଗାଁ କମିଟି । ହେଲେ ଏତେ ଟଙ୍କା ସେ ଦେବା ପାଇଁ ସମର୍ଥ ନଥିବାରୁ ୫ଶହ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ହେଲେ ଏଥିରେ ଗାଁ କମିଟି ରାଜି ହୋଇନଥିଲା ଏବଂ ତାଙ୍କୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତି ହୋଇଥିଲା । ଏମିତି କି ବିଶ୍ୱନାଥ କରିଥିବା ଚା ଦୋକାନକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ, ତୁକୁଡ଼ା ଗାଁର ବିଶ୍ୱନାଥ ସାହୁ ଓ ତାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିଛି ଗ୍ରାମ୍ୟକମିଟି । ବିଶ୍ୱନାଥ ସାହୁଙ୍କ ପୁଅ ଶ୍ୟାମଘନ ସାହୁ ଗତ ୫ ମାସ ତଳେ ଠାକୁରଗଡ ଗାଁର ଜଣେ ଝିଅକୁ ବିବାହ କରିଥିଲେ । ଗ୍ରାମ୍ୟ କମିଟିକୁ ନଜଣାଇ କାହିଁକି ବିବାହ କଲେ ସେଥିପାଇଁ ଗ୍ରାମ୍ୟ କମିଟି ତାଙ୍କୁ ଓ ତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଜରିମାନା ମାଗିଥିଲେ । ତେବେ ଏତେ ଟଙ୍କା ଜରିମାନା ଦେଇନପାରି ନେହୁରା ହୋଇ ସଂପୃକ୍ତ ପରିବାର ୫୦୦ଟଙ୍କା ଦେବେ ବୋଲି କହିଥିଲେ କିନ୍ତୁ ଗ୍ରାମ୍ୟକମିଟିର ସଭାପତି ତାଙ୍କୁ ଟଙ୍କା ନଦେଲେ ଗାାଁରୁ ବାସନ୍ଦ କରିଦେଇଥିଲେ ।

ଖାଲି ଏତିକି ନୁହେଁ ଶ୍ୟାମଘନ ଦେଇଥିବା ଚା ଦୋକାନକୁ ବନ୍ଦ କରିଦେବା ସହ ଡାକୁଆ ଦ୍ୱାରା ଗାଁ ସାରା ଢୋଲ ପିଟି ସମସ୍ତଙ୍କୁ କୁହାଯାଇଥିଲା କି ବିଶ୍ୱନାଥଙ୍କ ସହ କେହି ସଂପର୍କ ରଖିବେନି , ଯଦି କିଏ ରଖନ୍ତୁ ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଏନେଇ ବିଶ୍ୱନାଥ ଙ୍କ ପରିବାର ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।