ନାଥୁରାମ୍ ଗଡସେଙ୍କୁ ଦେଶଭକ୍ତ କହି ବାପୁଜୀଙ୍କୁ ଅସମ୍ନାନ କରିଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ ମୋଦି କଲେନି କ୍ଷମା ! ଅଭିବାଦନ ସଭାରେ ସାଧ୍ୱୀଙ୍କୁ ଅଣଦେଖା କଲେ ପ୍ରଧାନମନ୍ତ୍ରୀ ମୋଦି ।

469

ସଂସଦର ସେଣ୍ଟ୍ରାଲ୍ ହଲରେ ଶନିବାର ରାଷ୍ଟ୍ରୀୟ ଜନତାନ୍ତ୍ରୀକ ମେଣ୍ଟ(ଏନଡିଏ) ନେତା ଚୟନ ହେବା ପରେ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ଉପସ୍ଥିତ ଥିବା ସବୁ ସାଂସଦ ଅଭିନନ୍ଦନ ଜଣାଇଲେ । କିନ୍ତୁ ସେଠାରେ ଗୋଟିଏ ଖାସ୍ ଦୃଶ୍ୟ ସମସ୍ତଙ୍କ ଆଖିକୁ ଆକର୍ଷିତ କରିଥିଲା । ଭୋପାଳ ବିଜେପି ଟିକେଟରୁ ଜିତିଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମୋଦି ଅଣଦେଖା କରିଥିଲେ । ବାସ୍ତବରେ ଲୋକସଭା ନିର୍ବାଚନ ଶେଷ ହେବାର ୨ ଦିନ ପୂର୍ବରୁ ନାଥୁରାମ୍ ଗଡସେଙ୍କୁ ରାଷ୍ଟ୍ରଭକ୍ତ କହି ସାଧ୍ୱୀ ପ୍ରଜ୍ଞା ପାର୍ଟିକୁ ଅସୁବିଧାରେ ପକାଇ ଦେଇଥିଲେ । ଏହାପରେ ବିଜେପିକୁ ଅନେକ ସମାଲୋଚନାକୁ ସାମ୍ନା କରିବାକୁ ପଡିଥିଲା ।

ବିଜେପି ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ୍ ଜାରୀ କରାଗଲା । ଏଥିରେ କୁହାଗଲା ମହାତ୍ମା ଗାନ୍ଧୀ ଏବଂ ନାଥୁରାମ୍ ଗଡ଼ସେକୁ ନେଇ ଯେଉଁ କଥା କୁହାଯାଇଛି ତାହା ଆଦୌ ଶୋଭନୀୟ ନୁହେଁ ଏହା ଅତ୍ୟନ୍ତ ଘୃଣାଦାୟକ ବାକ୍ୟ । ସଭ୍ୟ ସମାଜରେ ଏଭଳି କଥାକୁ ଗ୍ରହଣ କରାଯିବନାହିଁ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ , ସାଧ୍ୱୀ ପ୍ରଜ୍ଞା କ୍ଷମା ପ୍ରାର୍ଥନା କଲେ ମଧ୍ୟ ମୁଁ ତାଙ୍କୁ ମନରୁ କେବେ ବି କ୍ଷମା କରିପାରିବି ନାହିଁ ।