ବିଜେଡିରୁ ନିଲମ୍ବିତ ନେତାଙ୍କ ଆସୁଛି ଅଛେଦିନ୍ । ଦଳକୁ ଫେରାଇ ଆଣିବାକୁ ପ୍ରସ୍ତୁତି ।

181

କନକ ବ୍ୟୁରୋ : ୨୦୧୯ ପୂର୍ବରୁ ବିଜେଡି ଭିତରେ ବଡ ପରିବର୍ତ୍ତନ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି । ପଂଚମ ଥର ପାଇଁ କ୍ଷମତା ଦଖଲ କରିବା ଆଗରୁ ଦଳ ଏବେ ଶକ୍ତି ଆକଳନ କରୁଛି । କେଉଁଠି ଅସୁବିଧା ଅଛି, ତାକୁ କିଏ ସୁଧାରି ପାରିବ, କିଏ ଦଳ ପାଇଁ କଂଟା ହେଉଛି, ତାକୁ କିଭଳି ବାଟକୁ ଅଣାଯିବ, ସେନେଇ ରୀତିମତ କସରତ ହେଉଛି ।

NaveenPatnaik-ବିଜେଡିର ନିକଟତମ ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ଖୁବଶୀଘ୍ର ଦଳରୁ ନିଲମ୍ବିତ ହୋଇଥିବା କିଛି ନେତାଙ୍କ ଉପରୁ ଆଦେଶ ପ୍ରତ୍ୟାହୃତ ହେବ । ଏନେଇ ସମସ୍ତ ନିଷ୍ପତ୍ତି ସରିଛି । ଖୁବଶୀଘ୍ର ମୁଖିଆଙ୍କ ଦସ୍ତଖତ ହୋଇଗଲେ ଗଣମାଧ୍ୟମକୁ ବ୍ରେକିଂ ନ୍ୟୁଜ ଆସିଯିବ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରାଙ୍କ ନାଁ ତାଲିକାର ଆଗରେ ରହିଛି । ନବୀନଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇ ପ୍ରଫୁଲ୍ଲ ଘଡେଇ ଦଳରୁ ବିଦା ହୋଇଥିବା ବେଳେ ପ୍ୟାରୀଙ୍କ ଷଡଯନ୍ତ୍ରରେ ସାମିଲ ଥିବା ଦାଗ ଲାଗିଥିଲା ଅଂଜଳୀଙ୍କ ବିରୋଧରେ ।

ଚର୍ଚ୍ଚା ଚାଲିଥିଲା, ବିରୋଧୀ କ୍ୟାମ୍ପ ଏହି ଦୁଇ ନେତାଙ୍କୁ ନେଇ ନିଜ ରାଜନୈତିକ ଅଙ୍କ କଷୁଛନ୍ତି । ବାସ୍, ଏହି ଖବର ଶୁଣିବା ଦିନରୁ ପ୍ରକ୍ରିୟା ଆରମ୍ଭ ହୋଇଗଲା, କିଭଳି ଏହି ନେତା ମାନଙ୍କ ମନକୁ ପୁଣି ଜିତିହେବ? ଖବର ପଠାଇ ଦିଆଗଲା, ଅନ୍ୟ ଦଳ ଆଡେ ଯାଆନ୍ତୁ ନାହିଁ, ବିଜେଡି ଆପଣ ମାନଙ୍କୁ ପୁଣି ଆଦରି ନେବ ।

ଏହି ଧାଡିଏ ପଦ, ଆଉ ନେତାଙ୍କ ଗ୍ରୀନ ସିଗନାଲ ପରେ କୁଆଡେ ଏହି ଦୁଇ ନେତା ଏବେ ଖୁସି ଥିବା ଶୁଣିବାକୁ ମିଳୁଛି । ଅର୍ଥାତ୍, ଏମାନେ ଆଉ ଅନ୍ୟ ଦଳକୁ ଯିବେ ନାହିଁ, କିମ୍ବା ଆଉ କେଉଁ ଶକ୍ତି ସହ ହାତ ମିଶାଇବେ ନାହିଁ । ଖୁବଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ନେଇ ପ୍ରେସ ରିଲିଜ୍ ଗଣମାଧ୍ୟମକୁ ଆସିବ ବୋଲି ଜଣାପଡିଛି ।