ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ପାଇବେ ଗ୍ରୀନ ନୋବେଲ ଆୱାର୍ଡ : ବେଦାନ୍ତ ବିରୋଧୀ ଅଭିଯାନ ଓ ବିସ୍ଥାପନ ବିରୋଧୀ ନେତା ଭାବେ ରହିଛି ପରିଚୟ

63

କନକ ବ୍ୟୁରୋ : ଗ୍ରୀନ ନୋବେଲ ପୁରସ୍କାର ପାଇବେ ପ୍ରଫୁଲ୍ଲ ସାମନ୍ତରା । କଳାହାଣ୍ଡିର ନିୟମଗିରି ପାହାଡର ବିବିଧତା ଓ ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ଲଢିଥିବା ଲୋକଶକ୍ତି ଅଭିଯାନର ନେତା ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ସାନଫ୍ରାନ୍ସିସ୍କୋର ଗୋଲ୍ଡ ମ୍ୟାନ ଏନଭାୟୋରମେଂଟ ପ୍ରାଇଜ, ଯାହାକୁ ଗ୍ରୀନ ନୋବେଲ କୁାହାଯାଏ, ସେହି ସମ୍ମାନ ପାଇବେ ପ୍ରଫୁଲ୍ଲ ।

ବଡ କଥା ହେଉଛି ବେଦାନ୍ତ ବିରୋଧରେ ଲଢେଇ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସେ ତିଆରି କରିଥିଲେ । ଖାସ କରି ଡଙ୍ଗରିଆ କନ୍ଧଙ୍କ ବିଶ୍ୱାସ ଥିବା ନିୟମଗିରି ପାହାଡକୁ ହାତେଇବାକୁ ଯେଉଁଭଳି ରଣନୀତି ବେଦାନ୍ତ ଗ୍ର୍ରୁପ୍ ପକ୍ଷରୁ କରାଯାଇଥିଲା, ତାକୁ ରୋକିଥିଲେ ପ୍ରଫୁଲ୍ଲ । ଆଦିବାସୀଙ୍କ ମେଳିକୁ ସ୍ୱର ଦେବା ଆଉ ତାକୁ ରାଜଧାନୀ ତଥା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରାଇବାରେ ତାଙ୍କର ପ୍ରମୁଖ ଭୁମିକା ଥିଲା ।

କଳାହାଣ୍ଡିରେ ବେଦାନ୍ତର ଲାଂଜିଗଡ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବେଦାନ୍ତ ହାତକୁ ନିୟମଗିରି ପାହାଡ ଟେକିଦେବାକୁ ମସୁଧା କରିଥିଲେ । ହେଲେ ଆଦିବାସୀଙ୍କ ବିରୋଧ ଆଗରେ ଏହା ଫିକା ପଡିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିବା ଗ୍ରାମସଭାରେ ଆଦିବାସୀ ଦେଇଥିଲେ ମୁହଁତୋଡ ଜବାବ । ଅନେକ ଥର ଆସି ସଚିବାଳୟରେ ଚକ୍କର କାଟିବା ସତ୍ୱେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ନିୟମଗିରି ପାହାଡ ହାତେଇବାରେ ସକ୍ଷମ ହୋଇନଥିଲେ । ଯାହାପଛରେ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଏକ ବଡ ହାତ ଥିଲା । ଆଉ ସାନଫ୍ରାନ୍ସିସ୍କୋରେ ଭାରତୀୟ ସମୟ ରାତି ୨ଟାରେ ତାଙ୍କୁ ଗ୍ରୀନ ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ ।