ବାଦବିବାଦ ଭିତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର! ସାମ୍ନାରେ ଚ୍ୟାଲେଞ୍ଜର ପାହାଡ଼

37

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ଓ ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ତୁମ୍ବିତୋଫାନ ଭିତରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ଦାୟିତ୍ୱ ନେବା ପରେ ନୂଆ ପ୍ରଶାସକ କହିଛନ୍ତି, ତାଙ୍କ ଆଗରେ ରଥଯାତ୍ରାକୁ ସୁରୁଖୁରୁରେ ସାରିବା ମୁଖ୍ୟ ଚ୍ୟାଲେଂଜ । ତେବେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ନବ ନିଯୁକ୍ତ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ରତ୍ନଭଣ୍ଡାର ଚାବି ନେଇ ବିବାଦ ଚରମ ସୀମାରେ ପହଁଚିବା, ଦାନ କଟକଣା ପରେ ସେବାୟତଙ୍କ ଭିତରେ ଅସନ୍ତୋଷ ବଢିବା ଏବଂ ଭକ୍ତଙ୍କୁ ମାଡ଼ ଭଳି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କାଠଗଡ଼ାକୁ ଟଣା ହେବା – ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ଅଭିଜ୍ଞ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ବାରମ୍ବାର ସରକାର ଅଡ଼ୁଆରେ ପଡିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେଲେ ଦାୟିତ୍ୱ ନେବା ପରେ ସବୁଠୁ ବଡ଼ ଆଉ ସମ୍ବେଦନଶୀଳ ବିବାଦ-ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ପ୍ରଦୀପ୍ତ ।

ସେପଟେ ଆଗକୁ ଅଛି ରଥଯାତ୍ରା, ଟିକେ ଅସାବଧାନତା ହେଲେ, ପାନରୁ ଚୂନ ଖସିଗଲେ ପୁଣିଥରେ ବିଭ୍ରାଟର ଅପଖ୍ୟାତି ମୁଣ୍ଡାଇବା ଭୟ ରହିଛି । ଦାୟିତ୍ୱ ନେବା ପରେ ସେ କହିଛନ୍ତି, ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ । ସୁରୁଖୁରୁରେ ରଥଯାତ୍ରା ପାଇଁ ମଧ୍ୟ ସହଯୋଗ କାମନା କରିଛନ୍ତି ନୂଆ ମୁଖ୍ୟ ପ୍ରଶାସକ । ଉଭୟ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ପ୍ରଦୀପ୍ତ ମହାପାତ୍ରଙ୍କର ରହିଛି ବହୁତ ଅଭିଜ୍ଞତା । କ୍ରାଇସିସ୍ ମ୍ୟାନେଜର ଭାବେ ରାଜ୍ୟ ପ୍ରଶାସନିକ ମହଲରେ ରହିଛି ତାଙ୍କର ଖ୍ୟାତି । ହେଲେ ଏଥରର ରାସ୍ତା ଏତେ ସହଜ ନୁହେଁ । କାରଣ ଦାୟିତ୍ୱ ନେବା ପୂର୍ବରୁ ବଡ଼ ବଡ଼ ଆହ୍ୱାନର ସମ୍ମୁଖୀନ ହେବେ ପ୍ରଦୀପ୍ତ । ନଜର ପକାଇବା ତାଙ୍କର ଆଗରେ ଥିବା ୫ଟି ବଡ଼ ବଡ଼ ଚ୍ୟାଲେଂଜ ଉପରେ ।
ଏକ ନମ୍ବର ଚ୍ୟାଲେଞ୍ଜ ହେଉଛି – ଭଣ୍ଡାର ଚାବି ବିବାଦର ସମାଧାନ
ଚ୍ୟାଲେଞ୍ଜ ନମ୍ବର ଦୁଇ – ରତ୍ନଭଣ୍ଡାର ସୁରକ୍ଷିତ ଥିବା ନେଇ ବିଶ୍ୱାସ ଜନ୍ମାଇବା
ତିନି ନମ୍ବର ଚ୍ୟାଲେଞ୍ଜ ହେଉଛି – ବାଦବିବାଦ ଭିତରେ ଶୃଙ୍ଖଳିତ ଭାବେ ରଥଯାତ୍ରା କରାଇବା
ଚ୍ୟାଲେଞ୍ଜ ନମ୍ବର ଚାରି – ଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା
ପାଂଚ ନମ୍ବର ଚ୍ୟାଲେଞ୍ଜ – ଶ୍ରୀଜିଉଙ୍କ ନୀତିକାନ୍ତି ଓ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଇବା

ଏସବୁ ଚ୍ୟାଲେଂଜକ ଗ୍ରହଣ କରି ସମସ୍ୟାର ସମାଧାନ କରିପାରିଲେ କ୍ରାଇସିସ୍ ମ୍ୟାନେଜରର ଗୌରବ ଅକ୍ଷୂର୍ଣ୍ଣ ରହିବ, ନହେଲେ ମିଳିବ ଅପଖ୍ୟାତି ।