ବିରୋଧୀଙ୍କ ମୁଖିଆ ପ୍ରଦୀପ୍ତ । ବିଧାନସଭାରେ ବିଜେଡି ସରକାରକୁ ଅକଳରେ ପକାଇବାକୁ ପ୍ରଦୀପ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେପି ।

831

କନକ ବ୍ୟୁରୋ : ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିଧାନସଭା ବିରୋଧୀ ଦଳ ନେତା । ଭବାନୀପାଟଣାର ବିଧାୟକ ପ୍ରଦୀପ୍ତଙ୍କ ନାଁରେ ମୋହର ମାରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗତକାଲି ବିଜେପିର ବିଧାୟକ ଦଳ ବୈଠକ ବସିଥିଲେ ମଧ୍ୟ ବିରୋଧୀ ଦଳ ନେତା କିଏ ହେବ ତାହାକୁ ନେଇ କୌଣସି ନିଷ୍କର୍ସ ବାହାରିନଥିଲା । ବିଧାୟକ ଦଳ ବୈଠକରେ ଆଲୋଚନା ପରେ କିଛି ନେତାଙ୍କ ନାଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିଲା । ଆଉ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରଦୀପ୍ତଙ୍କ ନାଁରେ ମୋହର ମାରିଛନ୍ତି ଶାହା ।

ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ପ୍ରଦୀପ୍ତଙ୍କ ନାଁ ଘୋଷଣା କରାଯାଇଛି । ବିରୋଧୀ ଦଳ ନେତା ରେସରେ ବିଜେପିର ହେଭିୱେଟ ନେତା ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ରହିଥିଲେ ମଧ୍ୟ ଶେଷରେ ଏହି ପଦବୀ ପାଇଁ ପ୍ରଦୀପ୍ତଙ୍କୁ ବାଛିଛନ୍ତି ଶାହା । ୪ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଦୀପ୍ତ ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି । ତେଣୁ ଅଭିଜ୍ଞତା ଦୃଷ୍ଟିରୁ ପ୍ରଦୀପ୍ତଙ୍କୁ ବିରୋଧୀ ଦଳ ନେତା ବଛାଯାଇଛି । ବିଜେପି ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନ ହାତେଇଥିବା ବେଳେ ପ୍ରଦୀପ୍ତ ବିଜେପିର ପ୍ରଥମ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ପ୍ରଦୀପ୍ତ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକଙ୍କୁ ମାତ୍ ଦେଇ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।