ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଗିରଫଦାରୀ ପ୍ରସଙ୍ଗ : ପ୍ରତିବାଦରେ ୧୨ ଘଂଟିଆ ନବରଙ୍ଗପୁର ବନ୍ଦ ପାଳନ କରିଛି କଂଗ୍ରେସ

35

ନବରଙ୍ଗପୁର : ନବରଙ୍ଗପୁରରେ କଂଗ୍ରେସର ବନ୍ଦ ପାଳନ ଜୋରଦାର । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ । ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ଘଟଣାରେ ପୋଲିସ ୨ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଅନ୍ୟ ୧୭ ଜଣଙ୍କ ଗିରଫ ପ୍ରତିବାଦରେ ଆଜି ୧୨ ଘଂଟିଆ ନବରଙ୍ଗପୁର ବନ୍ଦ ପାଳନ କରୁଛି କଂଗ୍ରେସ । ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ରାସନ କାର୍ଡ ବଂଟନ ଦାବି ନେଇ କଂଗ୍ରେସ ଦାବି କରିଛି । ଏନେଇ ଦାବିପତ୍ର ଦେଉଥିବା ବେଳେ ରାଇଘର ରେଂଜ ଅଫିସରେ ଉତେଜନା ପ୍ରକାଶ ପାଇଥିଲା ।

ଏହି ଘଟଣାରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସମେତ ୧୮ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ପୋଲିସ । ବନ୍ଦର ପ୍ରଭାବ ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଛି । ଦୋକାନ ବଜାର ସବୁ ବନ୍ଦ ରହିଥିବାବେଳେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିବା ଲାଗି ଉଦ୍ୟମ ଚଳାଇଛନ୍ତି କଂଗ୍ରେସ କର୍ମୀ । ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାର ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି । ଏହି ପ୍ରସଙ୍ଗରେ ନବରଙ୍ଗପୁର ପରେ ସାରା କେବିକେ ଅଂଚଳ ଏପରିକି ଓଡିଶାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ପ୍ରସାଦ କହିଛନ୍ତି । ସେପଟେ ଗିରଫ ପ୍ରତିବାଦରେ ଜେଲ ଭିତରେ ଅନଶନ ଚଳାଇଛନ୍ତି ପ୍ରଦୀପ ମାଝୀଙ୍କ ସହ ଅନ୍ୟ ୧୭ କଂଗ୍ରେସ କର୍ମୀ ।

ସେପଟେ କନ୍ଧମାଳରେ ମଧ୍ୟ ପ୍ରଦୀପ ମାଝୀଙ୍କ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଆଦିବାସୀ ସେଲ । ତେବେ ଏହି ବନ୍ଦ ପାଳନରେ ଦଳ ଭିତରେ ତାଳମେଳ ନାହିଁ । ପିସିସି ପକ୍ଷରୁ ଏହି ବନ୍ଦ ପାଳନକୁ ନାପସନ୍ଦ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି, ବନ୍ଦକୁ ବିରୋଧ କରି ଏସପିଙ୍କ ନିକଟରେ ଫେରାଦ ହୋଇଛି । ପିସିସି ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇନଥିବା ବେଳେ ଆଦିବାସୀ ସେଲ ଉପସଭାପତି ନିଜ ଆଡୁ ବନ୍ଦ ପାଳନ ନେଇ ନିଷ୍ପତି ନେଇଥିବା କହିଛନ୍ତି ।