ଶତ୍ରୁର ଶତ୍ରୁ ପାଲଟିଲା ମିତ୍ର ! ବିଜେପିକୁ ରୋକିବା ପାଇଁ ମହାରଥୀଙ୍କ ମହାମେଂଟ

40

କନକ ବ୍ୟୁରୋ : କୁହାଯାଏ-ରାଜନୀତିରେ କେହି ସବୁ ଦିନପାଇଁ ଶତ୍ରୁ ନୁହଁନ୍ତି କି ମିତ୍ର ନୁହଁନ୍ତି । ଆଜି ଯିଏ ଶତ୍ରୁ କାଲି ସିଏ ହୁଏତ ମିତ୍ର ହୋଇପାରେ । ଆଉ ବେଳେବେଳେ ଶତ୍ରୁର ଶତ୍ରୁ ମିତ୍ର ହୋଇ ବି ଉଭା ହୁଅନ୍ତି । ଆଜି ସଚିବାଳୟରେ ଏମିତି ଏକ ଦୃଶ୍ୟ କନକ ନ୍ୟୁଜ୍ କ୍ୟାମେରା ଟିମ୍ କଏଦ କରିଛି । ଯାହା ଏହି ଦୁଇଟି ଉକ୍ତିଟି ହୁଏତ ପ୍ରମାଣିତ କରୁଛି ।

ପିପିଲି ରାଜନୀତିର ଦୁଇ ତୁଙ୍ଗ ଚେହେରା, ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । କୁହାଯାଏ-ଏହି ଦୁଇ ନେତା, ଜଣେ ଆଉ ଜଣଙ୍କୁ ଚେହେରା ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଭିତରେ ଥିବା ଲଢ଼େଇ, ନିର୍ବାଚନୀ ମୈଦାନରୁ ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇଥିବା ସମସ୍ତେ ଜାଣନ୍ତି । କିନ୍ତୁ ଆଜି ସଚିବାଳୟରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଯେଉଁଠି ମନ୍ତ୍ରୀଙ୍କ ଚ୍ୟାମ୍ବରରେ ବସିଥିଲେ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ । ଆଉ ସାମ୍ବାଦିକମାନେ ଯେତେବେଳେ ପଚାରିଲେ ଏହି ଅପୂର୍ବ ମିଳନର କାରଣ । ଉଭୟଙ୍କ ମତଥିଲା-ପିପିଲିର ବିକାଶ ନେଇ ଆଲୋଚନା ହୋଇଛି ।

ଆଉ ଏହି ବୟାନ ଦେବା ଭିତରେ ପାଟିରୁ ଖସି ଆସିଥିଲା ଅସଲ କଥା । ଉଭୟ ନେତା ବଖାଇଣି ଥିଲେ ରାଜନୀତିର ଦୁଇଟି ଦୋକାନର କଥା । ବିଜେପିକୁ ରୋକିବାକୁ ହାତ ମିଳାଇଛନ୍ତି କି କଂଗ୍ରେସ ଓ ବିଜେଡି ନେତା ? ବିଜେପିର ବାଟ ବନ୍ଦ କରିବାକୁ ଏହି ଅପୂର୍ବ ମିଳନ ହୋଇଥିଲା କି ସଚିବାଳୟରେ ? ଶତ୍ରୁର ଶତ୍ରୁ ମିତ୍ର ଭଙ୍ଗିରେ ଏକାଠି ହେଲେ କି ଯୁଧିଷ୍ଠିର ଏବଂ ପ୍ରଦୀପ ମହାରଥୀ ?

ନିର୍ବାଚନରେ ଯେତେବେଳେ ପରସ୍ପର ବିରୋଧରେ ଲଢ଼ୁଛନ୍ତି ଏହି ଦୁଇ ନେତା, ଠିକ୍ ସେହିକି ବେଳେ ଏହି ଦୁଇ ନେତାଙ୍କ ଏହି ଭାବ କାହିଁକି ସାମ୍ବାଦିକମାନଙ୍କୁ ବି ହଜମ ହୋଇନଥିଲା । ଆଉ ପଚାରିଥିଲେ-ବିଜେଡି ଆଡକୁ ଢଳୁଛନ୍ତି କି ଯୁଧିଷ୍ଠିର । କିନ୍ତୁ ନିଜ ନିଜ ଷ୍ଟାଇଲରେ କଥାଟିକୁ ଖଣ୍ଡନ କରିଥିଲେ ଦୁଇ ନେତା ।

ପଂଚାୟତ ନିର୍ବାଚନ ପରେ ବିଜେପିର ଦମ୍ଭ ଆଗ ଅପେକ୍ଷା ଢ଼େର ବଢ଼ି ଯାଇଛି । ୨୦୧୯ରେ କ୍ଷମତାକୁ ଆସିବା ପାଇଁ ବିଜେପି ନେତା ଅନବରତ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଆଉ ଏଭଳି ସ୍ଥିତିରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ବିଜେପିର ବାଟ ରୋକିବାକୁ ଏଭଳି ପ୍ରୟାସ କରୁଥିବା ଚର୍ଚ୍ଚା ଜୋରଧରିଛି ।