ସୁନ୍ଦରଗଡ ପୌରପାଳିକାର ଅଜବ ନୀତି । ଖୋଲା ଆକାଶ ତଳେ କଟୁଛି ଜୀବନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପରେ ମିଳୁନି ଟଙ୍କା

25

କନକ ବ୍ୟୁରୋ: ସୁନ୍ଦରଗଡ ପୌରପାଳିକାର ଅଜବ ନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଲେ କିନ୍ତୁ ଭୁଲି ଗଲେ ଟଙ୍କା ଦେବାକୁ । ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇବା ପରେ ପୁରୁଣା ଘଣ ଭାଙ୍ଗି ନୂଆ ଘର ନିର୍ମାଣ କାମ ଆରମ୍ଭ କଲେ ହେଲେ ଟଙ୍କା ଅଭବାରୁ ତାହା ଏବେ ଅଧପନ୍ତରିଆ ହୋଇପଡିଛି । ଟଙ୍କା ପାଇଁ ପୌରପାଳିକା ଦୌଡି ଦୌଡି ନୟାନ୍ତ ହିତାଧିକାରୀ । ସେପଟେ ପୌରନିର୍ବାହୀ ଅଧିକାରୀଙ୍କ କହିବା କଥା ହେଲା ୧୦ତାରିଖ ସୁଦ୍ଧା ମିଳିଯିବ ଟଙ୍କା ।

ଖୋଲା ଆକାଶ ତଳେ ବିତୁଛି ଜୀବନ । ଖୋଲା ଦାଣ୍ଡରେ ପଡିଛି ଘରର ଆସବାବପତ୍ର । ଏହି ଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା କେନ୍ଦୁପଡା ଓ ଡେଙ୍ଗିଭାଡି ଅଂଚଳର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଗତ ନଭେମ୍ବର ମାସରେ କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀ ନିଜ ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ କାମ ଆରମ୍ଭ କରିଥିଲେ । ପାଖରେ ଥିବାମ୍ବୁ ସମ୍ବଳ ଲଗାଇ ଘର କାମ ଆଗେିଥିଲେ । ଏବେ ପୌରପାଳିକା ପକ୍ଷରୁ ଗୋଟିଏ ବି କିସ୍ତିର ଟଙ୍କା ମିଳିନଥିବାରୁ ଅଧପନ୍ତରିଆ ହୋଇ ପଡିରହିଛି ନିର୍ମାଣ କାମ ।

ସୁନ୍ଦରଗଡ ପୌରପାଳିକା ଏପରି ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୫୦ରୁ ଅଧିକ ହିତାଧିକାରୀଙ୍କ ସମାନ କାହାଣୀ । କାର୍ଯ୍ୟାଦେଶ ପାଇବା ପରେ ଟଙ୍କା ପାଇନାହାନ୍ତି । ଏନେଇ ହିତାଧିକାରୀମାନେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ୧୦ତାରିଖ ସୁଦ୍ଧା ଟଙ୍କା ଦିଆଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।