କନକ ବ୍ୟୁରୋ : ସମସ୍ତଙ୍କୁ ମିଳିବ ପକ୍କା ଘର । ଏହି ମିଶନ ନେଇ ସରକାର ଆରମ୍ଭ କରିଛନ୍ତି ଇନ୍ଦିରା ଆବାସ . ବିଜୁପକା, ପ୍ରଧାନମନ୍ତ୍ରୀ ଆବାସ ଭଳି କେତେକଣ ଯୋଜନା । କିନ୍ତୁ ପ୍ରଧାନମନ୍ତ୍ରୀ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ ତାଲିକାରେ ନାଁ ନଥିବା ଘଟଣା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କେନ୍ଦ୍ରାପଡା ଜିଲ୍ଲା ମହାକଳପଡା ବ୍ଲକର ଅରକ୍ଷିତ ନାୟକ । ବି.ପି.ଏଲ ତାଲିକା ଭୁକ୍ତ ଅରକ୍ଷିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ମିଳିଛି । ୧୪୦୬ ନମ୍ବର ତାଲିକାରେ ବ୍ଲକ ଅଫିସରୁ କାର୍ଯ୍ୟାଦେଶ ମିଳିବା ପରେ ୧୦୦ ଦିନରେ ଘର କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ପ୍ରଶାସନିକ ବାବୁ । ହେଲେ ପ୍ରଥମ ପର୍ଯ୍ୟାୟ ଅର୍ଥର୍ ରାଶି ଆଣିବାକୁ ଯାଇଥିବା ବେଳେ ଜାଣିବାକୁ ପାଇଛନ୍ତି ତାଙ୍କ ନାଁ, କାର୍ଯ୍ୟାଦେଶ ତାଲିକାରେ ନାହିଁ । ତାଲିକାରେ ନାଁ ନଥିବାରୁ ଟଙ୍କା ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ବ୍ଲକ ଅଧିକାରୀ । ଫଳରେ କୋଠାଘରେ ରହିବା ଆଶାରେ ଝାଟିମାଟିର ଘରକୁ ଭାଙ୍ଗି ଦେଇଥିବା ଅରକ୍ଷିତଙ୍କ ପରିବାରକୁ ଏବେ ଦଇବ ସାହା ।

ବିଡମ୍ବନାର କଥା ହେଉଛି କାର୍ଯ୍ୟାଦେଶ ପାଇବା ପରେ ମୁଣ୍ଡ ଉପରେ ଥିବା ଚାଳ ଘର ଖଣ୍ଡିକୁ ଭାଙ୍ଗି ଦେଇଛନ୍ତି ଅରକ୍ଷିତ । କାର୍ଯ୍ୟାଦେଶ ଧରି ଟଙ୍କା ପାଇଁ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିବା ଅରକ୍ଷିତଙ୍କ ପରିବାର ଏକ ଗୁହାଳ ଭିତରେ ଜୀବନ ବିତାଉଛନ୍ତି । ଏବାବଦରେ ଜଣାପଡିବା ପରେ ଘଟଣାର ତଦନ୍ତ କରି ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ।

ଏଠି ପ୍ରଶ୍ନ ଉଠୁଛି ଯଦି ଅରକ୍ଷିତଙ୍କ ନାଁ କାର୍ଯ୍ୟାଦେଶ ତାଲିକାରେ ନଥିଲା ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର କରିବା ପାଇଁ କାର୍ଯ୍ୟାଦେଶ କିଏ ଦେଲା? ଯଦି ଦିଆଗଲା ପରେ ତାହା କଟାଗଲା କାହିଁକି ? ନାଁ ନକଲି କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଲୁଟୁଛନ୍ତି ସରକାରୀ ବାବୁ ? କିନ୍ତୁ ଏସବୁ ଭିତରେ ଅରକ୍ଷିତଙ୍କୁ କେବେ ପକ୍କା ଘର ଖଣ୍ଡିଏ ମିଳିବ ତାହା ଉପରେ ସମସ୍ତଙ୍କ ନଜର ।