ଖରିଫ ଋତୁ ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା : ଗତକାଲି ସୁଦ୍ଧା ସରିଛି ପଞ୍ଜୀକରଣ ପ୍ରକ୍ରିୟା
କନକ ବ୍ୟୁରୋ : ୨୦୧୮ ଖରିଫ ଋତୁ ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଣଋଣୀ ଚାଷୀମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା ଗତକାଲି ସୁଦ୍ଧା ସରିଛି । କିନ୍ତୁ ଜାରି ରହିଛି ଋଣୀ ଚାଷୀଙ୍କ ପଞ୍ଜୀକରଣ । ଆସନ୍ତା ୧୬ ତାରିଖ ବେଳକୁ ପଞ୍ଜୀକୃତ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସମ୍ବନ୍ଧିତ ଡାଟା ଅପ୍ଲୋଡ୍ ହେବ । ଏଥର ୨୫ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କୁ ଫସଲ ବୀମା ପରିସରଭୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ଗାଁ ଗାଁରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ଚାଲିଛି । କିନ୍ତୁ ଅଣଋଣୀ ଚାଷୀଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁଥିବା ବେଳେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ସର୍ବାଧିକ ୨୦ ଲକ୍ଷରେ ସୀମିତ ରହିବ ବୋଲି ପଞ୍ଜୀକରଣର ପ୍ରାଥମିକ ଆକଳନରୁ ଅନୁମାନ କରାଯାଉଛି ।
ପ୍ରାଥମିକ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ଫସଲ ବୀମା ଯୋଜନାରେ ଆଜି ସୁଦ୍ଧା ପ୍ରାୟ ୧୨ ଲକ୍ଷ ଋଣୀ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରାଇଛନ୍ତି । ପଞ୍ଜୀକରଣ ନିମନ୍ତେ ସେମାନେ ନିର୍ଧାରିତ ପ୍ରିମିୟମ ଜମା କରିଛନ୍ତି । ସେମାନଙ୍କ ଆକାଉଣ୍ଟ ବିଭିନ୍ନ ବ୍ୟାଙ୍କରେ ଥିବାରୁ ସେମାନଙ୍କ ପାଇଁ ବୀମା ପଞ୍ଜୀକରଣ ବାଧ୍ୟତାମୂଳକ । ଏଣୁ, ସେମାନଙ୍କ ସଂଖ୍ୟା ୧୮ ଲକ୍ଷ ଟପିବାର ସମ୍ଭାବନା ରହିଛି । ଗତକାଲି ସୁଦ୍ଧା ପ୍ରାୟ ୨ ଲକ୍ଷ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି । ଋଣୀ ଚାଷୀଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର ଜରିଆରେ ପ୍ରିମିୟମ ଜମା ପ୍ରକ୍ରିୟା ବନ୍ଦ ଗତକାଲି ମଧ୍ୟାହ୍ନ ପରଠାରୁ ବନ୍ଦ ହୋଇଯାଇଛି । ଯେଉଁମାନେ ବ୍ୟାଙ୍କ କିମ୍ବା ବୀମା ସଂସ୍ଥାମାନଙ୍କରେ ପ୍ରିମିୟମ ଜମା ଦେଇଛନ୍ତି, ସେମାନଙ୍କ ନାମ ପଞ୍ଜୀକୃତ ତାଲିକାରେ ସ୍ଥାନ ପାଇବ । ଆଗାମୀ ୧୬ ତାରିଖ ସୁଦ୍ଧା ଫସଲ ବୀମା ପଞ୍ଜୀକରଣ କରିଥିବା ଉଭୟ ଋଣୀ ଓ ଅଣଋଣୀ ଚାଷୀଙ୍କ ନାମ ତାଲିକାଭୁକ୍ତ ହେବ ବୋଲି ଜଣାଯାଇଛି ।
Comments are closed.