ପ୍ରଦୀପ ମାଝୀ ପରିବାରର ସି-ସୋର ଲିଙ୍କ ପ୍ରସଙ୍ଗ : ବାପା ଭଗବାନ ମାଝୀ କହିଲେ, ସି-ସୋର ମକା ଫ୍ୟାକ୍ଟ୍ରି ସହ ହୋଇଥିଲା ବ୍ୟବସାୟିକ କାରବାର

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପରିବାରର ଚିଟଫଣ୍ଡ ସଂସ୍ଥା ସି-ସୋର ସହ ସଂପୃକ୍ତି ଅଭିଯୋଗ । ଏଭଳି ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ପ୍ରଦୀପଙ୍କ ବାପା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ । କହିଛନ୍ତି ସି-ସୋର ଚିଟଫଣ୍ଡ ସଂସ୍ଥା ସହ ତାଙ୍କର କୌଣସି ସଂପର୍କ ନାହିଁ । କେବଳ ନବରଙ୍ଗପୁରରେ ସି-ସୋର କରିଥିବା ମକା ଫ୍ୟାକ୍ଟ୍ରି ସହ ତାଙ୍କର ବ୍ୟବସାୟିକ ସଂପର୍କ ଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳୀନ ସାଂସଦ ପ୍ୟାରୀମୋହନ ମହାପାତ୍ର ନବରଙ୍ଗପୁରରେ ଏକ ମକା ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ ସି-ସୋରକୁ ଅନୁମତି ମିଳିଥିଲା । କାରଖାନା କରିବା ପାଇଁ ସି-ସୋରକୁ ମଧ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଯୋଗାଇ ଦିଆଯାଇଥିଲା । ତେବେ ସଂସ୍ଥା ତାର ଗୋଦାମ ତିଆରି କରିବାକୁ ଜାଗା ଆବଶ୍ୟକ କରୁଥିବାରୁ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିସହ ସି-ସୋର ମକା ଫ୍ୟାକ୍ଟ୍ରିକୁ ମକା ଯୋଗାଇବା ଲାଗି ବ୍ୟବସାୟିକ ସଂପର୍କ ସ୍ଥାପନ ହୋଇଥିଲା ।

୨୦୧୧ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୫ ମଧ୍ୟରେ ଭଗବାନ ମାଝୀ ଓ ତାଙ୍କ ପୁଅ ପ୍ରସନ୍ନ ମାଝୀଙ୍କ ସହ ସି-ସୋର ସଂସ୍ଥା ୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ କାରବାର କରିଥିଲା । ଏ ସଂପର୍କୀତ ସମସ୍ତ ଦସ୍ତାବିଜ ଦେଖାଇଛନ୍ତି ଭଗବାନ ମାଝୀ । ଜଣେ ଚାଷୀ ହିସାବରେ ସରକାରଙ୍କ ପ୍ରୋତ୍ସାହନରେ ସି-ସୋର ମକା ଫ୍ୟାକ୍ଟ୍ରି ସହ କାରବାର କରିଥିବା ସଫେଇ ରଖିଛନ୍ତି ସେ ଏପରିକି ସି-ସୋର ସଂସ୍ଥା ଚିଟଫଣ୍ଡ କାରବାରରେ ସଂପୃକ୍ତ ଥିବା ତାଙ୍କୁ ଜଣାନଥିଲା ବୋଲି ସୂଚନା ଦେଇଛନ୍ତି ଭଗବାନ ମାଝୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –