ଜେଲରୁ ମୁକୁଳିବେ କଂଗ୍ରେସ ନେତା ପ୍ରଦୀପ ମାଝୀ : ଶୋଭାଯାତ୍ରା ପାଇଁ ସମର୍ଥକଙ୍କ ସଜବାଜ

15

ନବରଙ୍ଗପୁର : ଜେଲରୁ ମୁକୁଳିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ସର୍ତମୂଳକ ଜାମିନ ମିଳିବା ପରେ ଆଜି ଅପରାହ୍ନ ୨ଟାରେ ସେ ଉମରକୋଟ ଉପକାରାଗାରରୁ ମୁକ୍ତ ହେବେ ବୋଲି ଜଣାପଡିଛି । ପ୍ରଦୀପଙ୍କ ସ୍ୱାଗତ ପାଇଁ ସଜବାଜ ହେଉଛନ୍ତି ସମର୍ଥକ । ସେଥିପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁରରେ ଏତେଟା ଦେଖିବାକୁ ମିଳିନାହିଁ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପ ମାଝୀଙ୍କୁ ଜାମିନ୍ ପ୍ରଦାନ କରିଥିଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଜିଲ୍ଲାର ରାଇଘର ରେଂଜ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ରେଂଜରଙ୍କୁ ମାଡ ମାରିବା ଘଟଣାରେ ପ୍ରଦୀପ ମାଝୀଙ୍କ ସମେତ ୧୯ ଜଣ ଜେଲ୍ ଯାଇଥିଲେ । ଗରିବ ଭୂମିହୀନ ଲୋକଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ ଓ ରାସନ କାର୍ଡ ଯୋଗାଇବା ଦାବିରେ ବିଶାଳ ରାଲିର ଆୟୋଜନ କରିଥିଲା କଂଗ୍ରେସ । ଏହି ସମୟରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ବେଳେ ଅଭାବନୀୟ ପରିସ୍ଥିତି ସାମ୍ନାକୁ ଆସିଥିଲା । ରେଂଜ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ଧସେଇ ପସିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ।