ଜଣେ ମହିଳାଙ୍କ ଦୁଇ ସ୍ୱାମୀ ପ୍ରସଙ୍ଗ : କ୍ଷମା ମାଗିବା ପାଇଁ ମନାକଲେ କୃଷିମନ୍ତ୍ରୀ, କହିଲେ ମୋ ବକ୍ତବ୍ୟକୁ କଦର୍ଯ୍ୟ କରାଯାଇଛି

45

କନକ ବ୍ୟୁରୋ : ଜଣେ ମହିଳାଙ୍କ ଦୁଇ ସ୍ୱାମୀ ବୟାନକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ମହାରଥୀଙ୍କ ଏହି ବୟାନ ପାଇଁ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ଜଣେ ମନ୍ତ୍ରୀଙ୍କ ମୁହଁରୁ ଏପରି କଥାକୁ ଲୋକେ ପସନ୍ଦ କରିନଥିଲେ ଓ ସମାଲୋଚନାର ମଧ୍ୟ ଶିକାର ହୋଇଥିଲେ ମହାରଥୀ । ତେବେ ଆଜି ଏନେଇ ନିଜ ମନ୍ତବ୍ୟ ରଖିଛନ୍ତି ପ୍ରଦୀପ ମହାରଥୀ । ପ୍ରଦୀପ ମହାରଥୀ କହିଛନ୍ତି କୌଣସି କାରଣ ନଥାଇ ମୋ ବକ୍ତବ୍ୟକୁ କଦର୍ଯ୍ୟ କରି ଉପସ୍ଥାପନ କରାଯାଇଛି । ମୁଁ ବିଲକୁଲ ଏପରି କିଛି କହିନାହିଁ । ସୋସିଆଲ ମିଡ଼ିଆ ଓ ଖବର କାଗଜରେ ମିଛରେ ମୋତେ ବଦନାମ କରାଯାଉଛି । ତେବେ ଏନେଇ ସେ ଅତ୍ୟନ୍ତ ମର୍ମାହତ ବୋଲି ସେ କହିଛନ୍ତି ।

ମୁଁ ମହିଳାଙ୍କୁ ସମ୍ମାନ ଦିଏ । ମୋ କଥାକୁ ଟ୍ୱିଷ୍ଟ କରାଯାଇଛି । ମୋ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇଥାଏ । ଆଉ ତାଙ୍କର ଆଶିର୍ବାଦ ଯୋଗୁଁ ହିଁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛି । ମୁଁ ମା’ମାନଙ୍କ ଉଦ୍ଦେଶ୍ୟରେ ସେପରି କିଛି କହିନି । ମୋ କଥାରେ କୌଣସି ତ୍ରୁଟି ନାହିଁ । ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ।

pradip maharathi pc meeting

ମହାରଥୀ ତାଙ୍କ ବୟାନ ନେଇ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ କିଛି ଦିନ ଭିତରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ହେବାର ଅଛି । ଏବଂ ସତ୍ୟବାଦୀ ମୋ ନିର୍ବାଚନ ମଣ୍ଡଳୀ ଅଧିନରେ ଯାଉଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଁ ପ୍ରାୟ ୩୦ ହଜାର ମହିଳାଙ୍କୁ ଏକଜୁଟ କରିବି ବୋଲି ଲକ୍ଷ୍ୟ ରଖିଛି । ମହିଳାମାନେ ଆସିଲେ ତାଙ୍କ ସ୍ୱାମୀମାନେ ମଧ୍ୟ ଆସିବେ ଏବଂ କାର୍ଯ୍ୟକ୍ରମରେ ଯୋଗଦେବେ । ଯଦ୍ୱାରା ଉଭୟଙ୍କ ସଂଖ୍ୟା ମିଶି ୬୦,୦୦୦ ହେବ । ଏହା ବ୍ୟତୀତ ମୁଁ ଆଉ କିଛି କହିନାହିଁ । ଆଉ ମୋର ଏହି କଥାକୁ ଅତିରଞ୍ଜିତ କରି ମୋ ନାମରେ ବଦନାମ କରାଯାଇଛି । ଏହାବ୍ୟତୀତ ମହାରଥୀ ଅନୁରୋଧ କରିଛନ୍ତି ମୋ ଆଭିମୁଖ୍ୟକୁ ଏପରି କଦର୍ଯ୍ୟ କରି ପ୍ରକାଶ କରନ୍ତୁ ନାହିଁ ।

ସେପଟେ ମହାରଥୀଙ୍କ ବୟାନ ପ୍ରତିବାଦରେ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ଆଉ ଏତିକି ବେଳେ ୧୦ରୁ ଇର୍ଦ୍ଧ୍ୱ ମହିଳା କମୀଙ୍କୁ କମିଶନରେଟ୍ ପୋଲିସ୍ ଅଟକ ରଖିଛି ।