ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରତାରିତ କଲେ ମୋଦି

36

କନକ ବ୍ୟୁରୋ : କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଓଡ଼ିଶାର ଲକ୍ଷଲକ୍ଷ ଚାଷୀଙ୍କୁ ମୋଦି ପ୍ରତାରିତ କରିଥିବା ସେ କହିଛନ୍ତି । ବିଧାନସଭାରେ ଦଳମତ ନିର୍ବିଶେଷରେ ଧାନ କୁଇଂଟାଲ୍ ପିଛା ୨୩୪୪ ଟଙ୍କା ଖର୍ଚ୍ଚ ହେଉଥିବା ସମସ୍ତେ ସ୍ୱୀକାର କରିଥିବା ବେଳେ କୁଇଂଟାଲ୍ ପିଛା ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବା କେନ୍ଦ୍ର କେଉଁଠୁ ତଥ୍ୟ ପାଇଲା ବୋଲି ମହାରଥୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଏହି ହିସାବ ବୁଝିନପାରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶ ଓ ରାଜସ୍ତାନରେ ନିର୍ବାଚନ ଥିବାରୁ ସେଠିକାର ଚାଷୀଙ୍କୁ ଖୁସି କରିବାକୁ ମୋଦି ସରକାର ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିବେ ବୋଲି ମହାରଥୀ କହିଛନ୍ତି ।

ସୂଚନାଯୋଗ୍ୟ ଚାଷୀଙ୍କ ଆୟ ଦୁଇ ଗୁଣା ଓ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଲାଭ ନେଇ ଘୋଷଣା କରିଥିବା ମୋଦି ସରକାର, ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୱିଂଟାଲ ପିଛା ଧାନର ଏମଏସପି ୧୫ଶହ ୫୦ ଟଙ୍କାରୁ ବଢାଇ ୧୭ଶହ ୫୦ ଟଙ୍କା କରିଛନ୍ତି । ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଧାନ ମୂଲ୍ୟରେ ୪୪୦ଟଙ୍କା ବୃଦ୍ଧି କରିଥିବା ଦାବି କରିଛି ବିଜେପି, ଯାହା ୟୁପିଏ ସରକାର ୧୦ ବର୍ଷର ଶାସନଠାରୁ ଢେର୍ ଅଧିକ । ତେବେ ମୋଦି ସରକାରଙ୍କ ଏହି ଘୋଷଣାରେ ୨୯ଶହ ୩୦ ଟଙ୍କା ଦାବି କରୁଥିବା ବିଜେଡି ଅସନ୍ତୋଷ ପ୍ରକାଶ କରିଛି ।