ଓଡିଶାକୁ ଚରମ ଅବହେଳା : କେନ୍ଦ୍ର ପର୍ଯ୍ୟଟନ ବିକାଶ ତାଲିକାରେ ନାହିଁ ଓଡିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ, ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ପ୍ରଦୀପ ମହାରଥୀ

276

କନକ ବ୍ୟୁରୋ : ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଅବହେଳା କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଦେଶର ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ନାହିଁ । ଅନେକ ଗୁରୁତ୍ବପୂର୍ଣ୍ଣ ଐତିହ୍ୟ ଏବଂ ପର୍ଯ୍ୟଟ ସ୍ଥଳୀ ପାଇଁ ଓଡିଶାକୁ ଖ୍ୟାତି ମିଳିଛି, ହେଲେ ଏଭିତରୁ କୌଣସି ଗୋଟିକର ବିକାଶ ନେଇ କେନ୍ଦ୍ର ସରକାରଙ୍କ କୌଣସି ଚିନ୍ତା ନାହିଁ । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ସ୍ପଷ୍ଟ ଜଣାପଡ଼ୁଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଶୂନ୍ୟକାଳରେ କେନ୍ଦ୍ର ଅବହେଳାର କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ି ବିଧାୟକ ।

ଓଡ଼ିଶାର କଳା,ସଂସ୍କୃତି, ଐତିହ୍ୟ, ପରମ୍ପରାର ଭିନ୍ନ ପରିଚୟ ରହିଛି । ଓଡ଼ିଶା ମନ୍ଦିରମାଳିନୀ ରାଜ୍ୟ ରୂପେ ଚାରିଆଡ଼େ ପରିଚିତ । ବିଶ୍ବ ଐତିହ୍ୟ ତାଲିକାରେ ରହିଛି କୋଣାର୍କ ସୂର୍ଯ୍ୟମନ୍ଦିର । ଏହାବ୍ୟତୀତ ଭିତର କନିକା, ଏସିଆର ସର୍ବବୃହତ୍ତମ ପ୍ରାକୃତିକ ହ୍ରଦ ଚିଲିକା ଓ ସିମିଳିପାଳ ଅଭୟାରଣ୍ୟ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛନ୍ତି । ବୌଦ୍ଧ ସଂସ୍କୃତିର କୀର୍ତ୍ତିମାନ ପ୍ରତୀକ ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ସର୍କିଟ୍ ଦେଶ ବିଦେଶର ଲକ୍ଷାଧିକ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ବିଶ୍ୱବିଖ୍ୟାତ ପୁରୀ ମନ୍ଦିର କଥା ମଧ୍ୟ ଭୁଲିଗଲେ କେନ୍ଦ୍ର ସରକାର । ଏତେସବୁ ପର୍ଯ୍ୟଟନ ସ୍ଥଳ ଥାଇ ବି କେନ୍ଦ୍ର ସଂସ୍କୃତି ବିଭାଗର ଆଖି କାହାରି ଉପରେ ବି ପଡ଼ିଲାନି । ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ଚିହ୍ନଟ କରିଥିବା ୧୭ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରୁ ଓଡିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳ ସ୍ଥାନ ପାଇନାହିଁ । ବିଧାନସଭାରେ ଶୂନ୍ୟକାଳରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ, ଅମର ଶତପଥୀ ଓ ଦେବୀମିଶ୍ର ।

ଆଉ କିଛି ସଦସ୍ୟ ଅଭିଯୋଗ କରିଥିଲେ, ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଏହା କେନ୍ଦ୍ରର ଅବହେଳା । ସର୍ବସମ୍ମତିକ୍ରମେ ବିଧାନସଭାରେ ଏକ ପ୍ରସ୍ତାବ ଅଣାଯାଉ ବୋଲି ଦାବି କରାଯାଇଛି । ଏ ନେଇ କେନ୍ଦ୍ର ନିକଟରେ ଦାବି କରାଯାଉ ବୋଲି ବିଧାନସଭାରେ ଦାବି କରିଥିଲେ ଭୁପିନ୍ଦର ସିଂହ, କିଶୋର ମହାନ୍ତି ଓ ନୃସିଂହ ସାହୁ ।