ଗିରଫ ହେବା ପୂର୍ବରୁ ଫେସବୁକରେ ପୂରା ଘଟଣା କହିଲେ ମହାରଥୀ । ଦେଖନ୍ତୁ ପୂରା ଭିଡିଓ

1,245

କନକ ବ୍ୟୁରୋ : ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହେବା ପୂର୍ବରୁ ଫେସବୁକ ପେଜରେ ନିଜର ମତ ରଖିଛନ୍ତି ମହାରଥୀ । ଗତକାଲି ରାତିର ପୂରା ଘଟଣା ସର୍ମ୍ପକରେ ମହାରଥୀ ଫେସବୁକରେ ନିଜର ମତ ରଖିଛନ୍ତି ।

ଗତକାଲି ରାତି ୧୨ଟା ସମୟରେ ତାଙ୍କ ଫାର୍ମହାଉସକୁ କିଛି ସ୍ପେଶାଲ ସ୍କ୍ୱାର୍ଡର ଅଧିକାରୀ ଆସିଥିଲେ । ଫାର୍ମ ହାଉସରେ ବିଦ୍ୟୁତ ନଥିଲେ ମଧ୍ୟ ଗେଟ ତାଲା ଭାଙ୍ଗି ସ୍କ୍ୱାର୍ଡ ଅଧିକାରୀ ମାନେ ଭିତରକୁ ପଶିଥିଲେ । ଫାର୍ମ ହାଉସରେ କିଏ ପଶିଲା ବୋଲି ତାଙ୍କର ଲୋକମାନେ ପଚରାଉଚରା କରିବାରୁ ସେଠାରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ପରେ ବଚସା ହେବା ସହ ଠେଲାପେଲା ମଧ୍ୟ ହୋଇଥିଲା । ଯେଉଁଥିପାଇଁ ମୁୁଁ ଦୁଃଖିତ ଓ ମର୍ମାହତ ବୋଲି ଫେସବୁକ ପେଜରେ କହିଛନ୍ତି ମହାରଥୀ । ତେବେ ଏଭଳି ଘଟଣାରେ ଦଳ କିମ୍ବା ସେ ସମ୍ପୃକ୍ତ ନୁହେଁ ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।

ତେବେ ଏହି ଘଟଣା ଆଜି ସକାଳେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ପ୍ରଦୀପଙ୍କୁ ଗିରଫ କରିଥିଲେ ପୋଲିସ । ଆଉ ଏହାସହ ପ୍ରଦୀପଙ୍କ ବିରୋଧରେ ୧୪୭, ୧୪୮,୧୮୮,୨୯୪,୩୪୧, ୧୮୬,୩୫୩,୩୩୩,୧୭୧ ବି,୫୦୬,୩୦୭,୧୪୯ ଓ ଲୋକପ୍ରତିନିଧି ଆଇନ ୧୨୩ ଦଫା ଲାଗିଛି । ଆସନ୍ତାକାଲି ପୁରୀ ଲୋକସଭା ଓ ଏହା ଅର୍ନ୍ତଗତ ସମସ୍ତ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ମହାରଥୀ ଗିରଫ ହେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।

ସୂଚନା ମୁତାବକ, ଗତକାଲି ପିପିଲିର ଏକ ଫାର୍ମହାଉସକୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ହୋଇଥିଲା । ଯାହାଫଳରେ ତିନି ଟିମର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା ।

ଅନ୍ୟପଟେ ଏମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେହିପରି ଫ୍ଲାଇଙ୍ଗସ୍କ୍ୱାର୍ଡ ଟିମର କ୍ୟାମେରାମ୍ୟାନ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣା ସ୍ଥଳରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ମିଶ୍ର ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି ।