ସତ ଫାଙ୍କିଲେ ସରକାର ! ପ୍ରଦୀପ ମହାରଥୀ କହିଲେ, ପାରିବାରିକ କଳହରୁ ଆଖି ବୁଜିଲେ ବରଗଡର ଚାଷୀ ଖଏନୁ

50

କନକ ବ୍ୟୁରୋ : ଚାଷୀ ମୃତ୍ୟୁକୁ ଫାଙ୍କି ଦେଲେ ସରକାର । ଫସଲ ହାନୀ ନୁହେଁ ବରଂ ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଛନ୍ତି ବରଗଡର ଚାଷୀ ଖଏନୁ ବଗର୍ତି । ଚାଷୀ ଆତ୍ମହତ୍ୟା ଉପରେ ଆଜି ବିଧାନସଭାରେ ବିବୃତି ରଖି କୃଷିମନ୍ତ୍ରୀ କହିଛନ୍ତି, ଜମିରେ ସାର ପକାଇବାକୁ ନେଇ ସ୍ତ୍ରୀ ସହ କଳହ କରି ଆତ୍ମହତ୍ୟା କରିଛନ୍ତି ବରଗଡର ଚାଷୀ ।

୨ ଏକର ଜମିରେ ଧାନ ଚାଷ ଓ ୧ ଏକର ଜମିରେ ପରିବା ଚାଷ କରିଥିଲେ ଖଏନୁ ବଗର୍ତୀ । ବିପିଏଲ୍ ପରିବାର ହୋଇଥିବାରୁ ମାସକୁ ୧୦ କେଜି ଚାଉଳ ବି ମିଳୁଥିଲା । କେବଳ ୧୮ ହଜାର ୮୧୮ ଟଙ୍କାର ଏକ ଋଣ ଥିଲା । ଖଏନୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ରେଡକ୍ରସ ପାଂଠିରୁ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିବା କୃଷିମନ୍ତ୍ରୀ ଉଲ୍ଲେଖ କରିିଛନ୍ତି ।

ସେପଟେ ଖଏନୁଙ୍କ ପତ୍ନୀ ଏ ବିବୃତିକୁ ଗ୍ରହଣ କରିବାକୁ ନାରାଜ । କହିଛନ୍ତି, ଘରୋଇ କଳହ ନୁହେଁ, ଫସଲ ନଷ୍ଟ ଆତ୍ମହତ୍ୟା ପଛର କାରଣ । ଚାଷୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ବିବୃତିକୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।