କାଲି ଇସ୍ତଫା ଆଜି ଦିଲ୍ଲୀ ଗସ୍ତ । କୃଷି ବିଭାଗ ଛାଡିବା ପରେ କୃଷକଙ୍କ ହକ୍ ପାଇଁ ଦିଲ୍ଲୀ ଗଲେ ମହାରଥୀ

293

କନକ ବ୍ୟୁରୋ: ଇସ୍ତଫା ଦେବା ପରେ ଦିଲ୍ଲୀ ଗଲେ ପ୍ରଦୀପ ମହାରଥୀ । ବିଜୁ କୃଷକ ଜନତା ଦଳ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ମହାରଥୀ । ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀର ତାଲକୋଟରା ଷ୍ଟାଡିମୟରେ ଆସନ୍ତାକାଲି କେନ୍ଦ୍ର ବିରୋଧରେ ଧାରଣା ଦେବ ବିଜେଡି । ତେଣୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଲ୍ଲୀ ଯାଇଛନ୍ତି ପ୍ରଦୀପ ମହାରଥୀ ।

ଗତ କିଛି ଦିନ ତଳେ ପିପିଲି ପୀଡିତାଙ୍କ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାୟ ଆସିବା ପରେ ବିବାଦିୟ ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମହାରଥୀ । ଯାହାକୁ ନେଇ ରାଜନୀତି ମହଲଠୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମହାରଥୀଙ୍କ ଇସ୍ତଫା ପାଇଁ ବିରୋଧୀ ଦଳମାନେ ସରକାରଙ୍କ ଉପରେ ଚାପ ପକାଉଥିଲେ । ଶେଷରେ ଗତକାଲି ଇସ୍ତଫା ଦେଇଥିଲେ ପ୍ରଦୀପ ମହାରଥୀ । ପୂର୍ବରୁ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଇଥିଲେ ମହାରଥୀ । ବିଶେଷ କରି ପିପିଲି ପୀଡିତାଙ୍କ ନ୍ୟାୟ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ତାଙ୍କ ମନ୍ତ୍ରୀ ପଦ ପାଇଁ ସଂକଟ ବଢାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମହାରଥୀଙ୍କ ଉପରେ କ୍ଷୁବ୍ଧ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶେଷରେ ନିଜେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହାରଥୀ ।

ସୂଚନା ଯୋଗ୍ୟ କି, ଚାଷୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେବ ବିଜେଡି । ଦିଲ୍ଲୀରେ କାଲି ବିଜେଡି ଧାରଣା ଦେବ । ଏପରିକି ଏଥିରେ ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ । ଏଥି ସହିତ ହିଁ ଏଥିରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ ନେତା ସାମିଲ ହେବେ । କାଲି ଦିନ ତମାମ ଏହି ଧାରଣା ପ୍ରଦର୍ଶନ ଚାଲିବ । ସନ୍ଧ୍ୟାରେ ବିଜେଡି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ବି ଦେବେ । ଆଉ ଏଥିରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ପ୍ରଦୀପ ମହାରଥୀ ।