ଜାପାନରେ ଏକାସଙ୍ଗେ ତାଣ୍ଡବ ରଚିଲା ବାତ୍ୟା ଓ ଭୂମିକମ୍ପ । ୧୫୦ କିଲୋମିଟର ବେଗରେ ମାଡିଆସିଲା ପହନ, ଚାହୁଁ ଚାହୁଁ ଚାଲିଗଲା ଜୀବନ

ଜାପାନ ଆଜି ଗୋଟିଏ ଦିନରେ ଏକ ଭୟଙ୍କର ସାମୁଦ୍ରିକ ବାତ୍ୟା ଓ ଭୂମିକମ୍ପର ସମ୍ମୁଖୀନ ହୋଇଛି ।

653

ଜାପାନ ଆଜି ଗୋଟିଏ ଦିନରେ ଏକ ଭୟଙ୍କର ସାମୁଦ୍ରିକ ବାତ୍ୟା ଓ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଏହି ସୁପର ଟାଇଫୁନର ନାଁ ରଖାଯାଇଛି ହଗିବିସ୍ । ଏହା ଶନିବାରଦିନ ଜାପାନର ପୂର୍ବରେ ଥିବା ଇଜୁ ଉପଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି ଓ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରକୁ ଟପିଯାଇଛି ।
ଏହା ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ପ୍ରାୟ ୫୦ରୁ ଅଧିକ ଆହତ ହୋଇଛନ୍ତି । କେତେକ ବ୍ୟକ୍ତି ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହା ଟାଇଫୁନ ଦୃଷ୍ଟିରୁ ଜାପାନ ସରକାର ଉପକୂଳ ଅଂଚଳରୁ ହଜାର ହଜାର ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ଏହି ବାତ୍ୟା ପ୍ରଭାବରେ କେତେକ ଉପକୂଳବର୍ତ୍ତି ସହରରେ ବନ୍ୟା ଦେଖାଦେଇଛି । ଜାପାନର ଟୋକିଓ, କାନାଗାଓ୍ଵା, ସାଇଟାମା ଓ ସିବା ଅଂଚଳରେ ଥିବା ନଦୀଗୁଡ଼ିକରେ ବନ୍ୟା ଆସିଛି ।
ଜାପାନବାସୀ ଗୋଟିଏ ପଟେ ହଗିବିସର ବିପଦର ସମ୍ମୁଖୀନ ହେଉଥିବାବେଳେ ଆଜି ୫.୭ ତୀବ୍ରତାର ଏକ ଭୂମିକମ୍ପ ମଧ୍ୟ ଆସିଛି । ଜାପାନର ରାଜଧାନୀ ଟୋକିଓର ପୂର୍ବରେ ଥିବା ସିବା ରାଜ୍ୟରେ ଏହି ଭୂମିକମ୍ପ ସ୍ଥାନୀୟ ସମୟ ସାଢେ ୬ଟା ବେଳେ ଆସିଥିଲା । ତେବେ ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି ।