ରିଲାଏନ୍ସ ଇନଫ୍ରାକୁ ବିଦ୍ୟୁତ ଆପିଲେଟ ଟ୍ରିବ୍ୟୁନାଲର ଝଟକା ! ନେସ୍କୋ, ଓ୍ଵସ୍କୋ ଓ ସାଉଥକୋର ଲାଇସେନ୍ସ ବାତିଲ

28

କନକ ବ୍ୟୁରୋ: ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥା ରିଲାଏନ୍ସ ଇନଫ୍ରାକୁ ବିଦ୍ୟୁତ ଆପିଲେଟ କୋର୍ଟ ଦ୍ୱାରା ଶକ୍ତ ଝଟକା ଲାଗିଛି । ରିଲାଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ତିନିଟି ବିଦ୍ୟୁତ ବିତରଣ କଂପାନୀ ନେସ୍କୋ, ଓ୍ଵସ୍କୋ ଓ ସାଉଥକୋର ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ନୂଆଦିଲ୍ଲୀ ସ୍ଥିତ ବିଦ୍ୟୁତ ଆପିଲେଟ ଟ୍ରିବ୍ୟୁନାଲ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ରାୟକୁ କାଏମ୍ ରଖିଛନ୍ତି ।

ଆପିଲେଟ ଟ୍ରିବ୍ୟୁନାଲ ଫର୍ ଇଲେକ୍ଟ୍ରିସିଟିର ଅଧ୍ୟକ୍ଷା ବିଚାରପତି ରଂଜନା ପ୍ରସାଦ ଦେଶାଇ ଓ ବୈଷୟିକ ସଦସ୍ୟ ଆଇଜେ କପୁର ଏହି ରାୟ ପ୍ରଦାନ କରିଛନ୍ତି । ଟ୍ରିବ୍ୟୁନାଲର ୧୫୯ ପୃଷ୍ଠାର ରାୟରେ ନେସ୍କୋ, ଓ୍ଵସ୍କୋ ଓ ସାଉଥକୋର ଲାଇସେନ୍ସ ପ୍ରତ୍ୟାହାର ଓ ପ୍ରଶାସକଙ୍କ ନିଯୁକ୍ତିକୁ ବୈଧ ବୋଲି କୁହାଯାଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଆଦେଶକୁ ଖାରଜ କରିବା ପାଇ ଟ୍ରିବ୍ୟୁନାଲ ନିକଟରେ କୌଣସି ସନ୍ତୋଷଜନକ ଦାବି ଉପସ୍ଥାପନ କରାଯାଇନଥିଲା ବୋଲି ରାୟରେ କୁହାଯାଇଛି । ଆୟୋଗର ଆଦେଶ ଓ ତଥା କଂପାନୀମାନଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ ତଥା ଏହି ପ୍ରସଙ୍ଗର ପୃଷ୍ଠଭୂମିରେ ଅନୁକୂଳତା ସାମଞ୍ଜସ୍ୟ ରହିଥିବା ରାୟରେ କୁହାଯାଇଛି ।

ଟ୍ରିବ୍ୟୁନାଲର ବିଚାରପତି ଓ ବୈଷୟିକ ସଦସ୍ୟ ରିଲାଏନ୍ସ ଇନଫ୍ରା ପରିଚାଳିତ ତିନୋଟି ଘରୋଇ କଂପାନୀ ନେସ୍କୋ, ଓ୍ଵସ୍କୋ ଓ ସାଉଥ୍କୋର ନାଚୁରାଲ ଜଷ୍ଟିସକୁ ଉଲ୍ଲଙ୍ଘନ କରାଯାଇ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଉନଥିବାର ଯୁକ୍ତିକୁ ମଧ୍ୟ ଖାରଜ କରି ଦେଇଛନ୍ତି । ୨୦୧୫ ମାର୍ଚ୍ଚ ୪ରେ ଆୟୋଗ ରିଲାଏନ୍ସ ଇନଫ୍ରା ପରିଚାଳିତ ତିନୋଟି କଂପାନୀର ଲାଇସେନ୍ସ ପ୍ରତ୍ୟାହାର କରିନେଇ ତା ଜାଗାରେ ଗ୍ରୀଡକୋ ସିଏମଡିଙ୍କୁ ତିନୋଟି କଂପାନୀର ପ୍ରଶାସକ ରୂପେ ନିଯୁକ୍ତ କରିଥିଲେ । ଇଲେକ୍ଟ୍ରିସିଟି ଆକ୍ଟର ସେକସନ ୧୯ ଅନ୍ତର୍ଗତ ତିନୋଟି କଂପାନୀର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଦର୍ଶାଇ ସେମାନଙ୍କ ଲାଇସେନ୍ସକୁ ପ୍ରତ୍ୟାହାର କରିନିଆଯାଇଥିଲା ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଆଦେଶକୁ ଚ୍ୟାଲେଞ୍ଜ କରି ତିନି ବିଦ୍ୟୁତ ବିତରଣ ସଂସ୍ଥା ଆପିଲେଟ ଟ୍ରିବ୍ୟୁନାଲ ଫର୍ ଇଲେକ୍ଟ୍ରିସିଟିରେ ଆୟୋଗର ଆଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ତଥା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ । କିନ୍ତୁ ଟ୍ରିବ୍ୟୁନାଲ ଏହାକୁ ଅଗ୍ରାହ୍ୟ କରି ମାମଲାର ଶୁଣାଣି କରିଥିଲେ । ମାମଲାରେ ପକ୍ଷଭୂକ୍ତ ଥିବା ସମସ୍ତ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଗତକାଲିର ରାୟରେ ବିଦ୍ୟୁତ ବକେୟା ବିଲ୍ ବାବଦରେ ରିଲାଏନ୍ସ ଇନଫ୍ରାକୁ ଗ୍ରୀଡକୋର ୨୬ଶହ କୋଟି ଟଙ୍କାକୁ କିଭଳି ଆଦାୟ କରାଯିବ ତଥା ଲାଇସେନ୍ସ ବାବଦରେ ରିଲାଏନ୍ସ ପକ୍ଷରୁ ରାଜ୍ୟ ସରକାର କିଭଳି ୧୧୭କୋଟି ଟଙ୍କା ପାଇବେ ସେ ସଂପର୍କରେ ସ୍ପଷ୍ଟ ରୂପେ କିଛି କୁହାଯାଇନାହିଁ ।