ତାତି ସହ ବଢିଲା ବିଜୁଳି ଭଡା ! ୨୦୧୭-୧୮ ବର୍ଷ ପାଇଁ ୧.୪୪% ବୃଦ୍ଧି

36

କନକ ବ୍ୟୁରୋ : ବଢିଲା ବିଜୁଳି ଦର । ହାରାହାରି ୧.୪୪ ପ୍ରତିଶତ ଦର ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ଓଡିଶା ବିଦ୍ୟୁତ ନିୟାମକ । ତେବେ ପ୍ରଥମ ୫୦ ୟୁନିଟ୍ ଯାଏଁ ଅପରିବର୍ତିତ ରହିଛି ବିଜୁଳି ଦର । ଏଥିସହ ଚାଷୀ ଆଉ ବିପିଏଲ ପରିବାର ଉପରେ ବର୍ଦ୍ଧିତ ବୋଝ ପଡିବନି । ୫୦ ୟୁନିଟ ପରେ ପ୍ରତି ସ୍ଲାବରେ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ଘଟିଛି । ଜଳବିଦ୍ୟୁତ୍ ଉତ୍ପାଦନ ହ୍ରାସ ଆଉ ତାପଜ ବିଦ୍ୟୁତ ଦର ବଢିବା ଏହା ପଛର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି ।

ଏବେ ନଜର ପକାନ୍ତୁ, ଆପଣଙ୍କ ମାସିକ ବଜେଟକୁ କେତେ ପ୍ରଭାବିତ କରିବ ବର୍ଦ୍ଧିତ ବିଜୁଳି ଦର ।

୫୦ ୟୁନିଟ୍ ବିଜୁଳି ବ୍ୟବହାର ଉପରେ କୌଣସି ଦର ବୃଦ୍ଧି ହୋଇନାହିଁ । ପୂର୍ବବର୍ଷ ପରି ଏଥର ବି ବିଜୁଳି ବିଲ୍ ୧୨୫ ଟଙ୍କା ହେବ । ୧୦୦ ୟୁନିଟ୍ ବିଜୁଳି ବ୍ୟବହାର ପାଇଁ ୩୩୫ ଟଙ୍କା ବିଲ ଆସୁଥିବା ବେଳେ ଏଣିକି ଏଥିରେ ୫ ଟଙ୍କା ବୃଦ୍ଧି ହୋଇ ୩୪୦ ଟଙ୍କା ହେବ । ୨୦୦ ୟୁନିଟ୍ ବିଜୁଳି ପାଇଁ ୧୭ ଟଙ୍କା ଅଧିକ ଦେବାକୁ ପଡିବ । ପୂର୍ବରୁ ୭୫୫ ଟଙ୍କା ଦେଉଥିବା ବେଳେ ୭୭୦ ଟଙ୍କା ଦେବାକୁ ପଡିବ । ୩୦୦ ୟୁନିଟ୍ ବିଜୁଳି ବ୍ୟବହାର କେଲ ଗତ ଆର୍ଥିକ ବର୍ଷରେ ୧୨୭୫ ଟଙ୍କାର ବିଜୁଳି ବିଲ୍ ଆସୁଥିଲା ଏବେ ଏଥିରେ ୨୫ ଟଙ୍କା ବୃଦ୍ଧି ପାଇବ । ଆଉ ନୂଆ ବିଜୁଳି ଦର ୧୩୦୦ ଟଙ୍କା ଛୁଇଁବ ।

କାହିଁକି ବିଜୁଳି ଦରବୃଦ୍ଧି ହୋଇଛି, ସେନେଇ କାରଣ ମଧ୍ୟ ଦେଇଛନ୍ତି ଓଇଆରସି । ଜଳ ବିଦ୍ୟୁତ ଉତ୍ପାଦନ କମି କମି ଚାଲିଥିବା ବେଳେ ରାଜ୍ୟରେ ବିଜୁଳି ପାଇଁ ତାପଜ ବିଦ୍ୟୁତ ଉପରେ ନିର୍ଭର କରିବାକୁ ପଡୁଛି । ଆରପଟେ ତାପଜ ବିଦ୍ୟୁତର ଖର୍ଚ୍ଚ ବଢିଚାଲିଛି । ମୋଟ ଉପରେ ବିଜୁଳି କିଣିବାକୁ ଗତ ବର୍ଷ ତୁଳନାରେ ୧୭ ପଇସା ଅଧିକ ଦେବାକୁ ପଡୁଛି । ଦରବୃଦ୍ଧି କରି ଏହାକୁ ଭରଣା କରାଯିବ ।

ଗ୍ରାମଂଚଳ ଖାଉଟିଙ୍କ ପାଇଁ ଓଡିଶା ବିଦ୍ୟୁତ ନିୟାମକ ମଧ୍ୟ ରିହାତି ବ୍ୟବସ୍ଥା କରିଛନ୍ତି । ଠିକ୍ ସମୟରେ ବିଲ ପୈଠ କଲେ ଏବଂ ସଠିକ୍ ମିଟର ବ୍ୟବହାର କଲେ ୟୁନିଟ୍ ପିଛା ଅତିରିକ୍ତ ୫ ପଇସା ରିହାତି ମିଳିବ ବିଜୁଳି ବିଲ୍ କ୍ୟାସଲେସ୍ ମାଧ୍ୟମରେ ଦେଲେ ଅତିରିକ୍ତ ୧ ପ୍ରତିଶତ ରିହାତି ମିଳିବ ।