ଧରାପଡିଲା ବିଜୁଳି ଘୋଟାଲା ! ୪ଟି ବିତରଣ କମ୍ପାନୀକୁ ଅନୁଗ୍ରହ ଦେଖାଇଛି ସେସୁ

53

କନକ ବ୍ୟୁରୋ : ୨୨୦ କୋଟିର ବିଜୁଳି ଘୋଟାଲା! ୪ଟି ବିତରଣ କମ୍ପାନୀଙ୍କୁ ଅନୁଗ୍ରହ । ସେସୁ ପକ୍ଷରୁ ନିଯୁକ୍ତ ୪ଟି ଘରୋଇ ବିଦ୍ୟୁତ ବିତରଣ କମ୍ପାନୀ- ଏନଜେନ୍, ଫେଡକୋ, ଆରୟୁପିଏଲ୍ ଓ ଏସୟୁପିଏଲ୍ ପ୍ରତି ସେସୁ ଦେଖାଇଛି ଅନୁଗ୍ରହ । ଧାର୍ଯ୍ୟ ସମୟ ପୂର୍ବରୁ ଚୁକ୍ତିରେ ପରିବର୍ତନ ଆଣି ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ସେସୁ ପ୍ରାୟ ୨୨୧ କୋଟି ଟଙ୍କା ରାଜସ୍ୱ ହରାଇଥିବା ଦେଖାଯାଇଛି । ଚୁକ୍ତି ଅନୁସାରେ ସେସୁ ମାସିକ ଲାଭ-କ୍ଷତିର ହିସାବ ପରିବର୍ତେ ହଠାତ୍ ସମୁଦାୟ ଲାଭ-କ୍ଷତିର ହିସାବ ନେଇଥିବାରୁ କେବଳ ୨୦୧୪-୧୫ ମସିହାରେ ଏନଜେନ୍ ଓ ଫେଡକୋ ଭଳି ବତରଣ କମ୍ପାନୀ ୩୦ କୋଟି ଟଙ୍କା ଛାଡ଼ ପାଇଯାଇଛନ୍ତି । ସେହିଭଳି ମାସିକ ଟାର୍ଗେଟ୍ ପୂରଣ କରିନଥିବା ସତ୍ୱେ ଅନ୍ୟ ଦୁଇ ବିତରଣ କମ୍ପାନୀ ଆରୟୁପିଏଲ୍ ଓ ଏସୟୁପିଏଲ୍ ୩୩ କୋଟି ୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାରୁ ବର୍ତିଯାଇଛନ୍ତି । ଏଭଳି ଭାବେ କେବଳ ୨୦୧୪-୧୫ ବର୍ଷରେ ସେସୁର କ୍ଷତି ହୋଇଛି ୬୩ କୋଟି ୯୪ ଲକ୍ଷ ଟଙ୍କା ।

ଲୋକଙ୍କୁ ନିରବଚ୍ଛିନ୍ନ ତଥା ଉଚ୍ଚ ମାନର ବିଜୁଳି ଯୋଗାଇ ଦେବା ପାଇଁ ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ-ସେସୁ ରାଜ୍ୟର ୯ଟି ଜିଲ୍ଲାରେ ଥିବା ୧୪ଟି ଡିଭିଜନରେ ଏନଜେନ୍, ଫେଡକୋ, ଆରୟୁପିଏଲ୍ ଓ ଏସୟୁପିଏଲ୍ ଭଳି ୪ଟି ବିତରଣ କମ୍ପାନୀ ସହ ୨୦୧୨ ମସିହାରେ କରିଥିଲା ଚୁକ୍ତି । ଚୁକ୍ତି ୫ ବର୍ଷ ପାଇଁ ହୋଇଥିବା ବେଳେ ହଠାତ୍ ବର୍ଷକ ପରେ ଚୁକ୍ତିକୁ ବଦଳାଇଦେଲା ସେସୁ । ଚୁକ୍ତି ଅନୁସାରେ ମାସିିକ ଧାର୍ଯ୍ୟ ଟାର୍ଗେଟରୁ କମ୍ ବିଜୁଳି ବିଲ୍ ଆଦାୟ ହେଲେ ୪ଟି ବିତରଣ କମ୍ପାନୀ କ୍ଷତିଭରଣା କରିବେ ବୋଲି ନିୟମ ରହିଥିଲା । ମାତ୍ର ସେସୁ କର୍ତୃପକ୍ଷ ସମୁଦାୟ ଲାଭ-କ୍ଷତିର ହିସାବକୁ ନେଇ ୪ଟି କମ୍ପାନୀକୁ ପ୍ରାୟ ୨୨୧ କୋଟି ଟଙ୍କା ଛାଡ଼ି ଦେଇଥିବା ଦେଖାଯାଇଛି ।

ବିଦ୍ୟୁତ୍ ପରିବହନ କ୍ଷତି କମାଇବା ସହ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବା ପାଇଁ ବିଦ୍ୟୁତ୍ କ୍ଷେତ୍ରକୁ ଘରୋଇକରଣ କରାଯାଇଥିଲା । କିନ୍ତୁ ଏହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି କିଛି ନେତା ଓ ଅଫିସର ।