ବିଜୁଳି ପାଣିର ଲଢେଇ ! ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ବିଜେପି ବିଧାୟକ ଦଳ ନେତା

27

କନକ ବ୍ୟୁରୋ: ଧାରଣାରେ ବିଜେପି ବିଧାୟକ ଦଳ ନେତା । ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଧାରଣାରେ ବସିଛନ୍ତି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ଜଳୁଛି ପଶ୍ଚିମ ଓଡିଶା । ବଲାଙ୍ଗିରରେ ପାରଦ ୪୬ ଡେଇଁଲାଣି । ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ହେଉଛି ଘନଘନ ବିଦ୍ୟୁତ୍ କାଟ । ଯାହାର ପ୍ରତିବାଦରେ ଦଳୀୟ କର୍ମୀଙ୍କ ସହ ବିଦ୍ୟୁତ ବିଭାଗ ଅଫିସ ଆଗରେ ଧାରଣାରେ ବସିଛନ୍ତି ବିଧାୟକ କେ.ଭି ସିଂହଦେଓ ।

ପଶ୍ଚିମରୁ ଉପକୂଳ ଓଡିଶା । ସବୁଠି ବିଦ୍ୟୁତ୍ ବିଭ୍ରାଟ । ଘଂଟା ଘଂଟା ଧରି ଉଭାନ ହୋଇଯାଉଛି ବିଜୁଳି । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଇନଜୀବୀ । ଏପଟେ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ୍ର ଅଭାବ ନାହିଁ । ପାୱାର କଟ୍ ହେଉନି । ରାଜ୍ୟକୁ ଯେତିକି ପରିମାଣର ବିଦ୍ୟୁତ୍ ଦରକାର, ସେତିକି ମିଳିଯାଉଛି ।

ସେହିପରି ୪୬ ଡିଗ୍ରୀ ଖରାରେ ପାଣି ପାଇଁ ଚାଲିଛି ସଂଘର୍ଷ । ପ୍ରବଳ ଖରାରେ ପିଇବା ପାଣି ନପାଇ ଡହଳବିକଳ ହେଉଛନ୍ତି ଲୋକେ । ଗାଁରେ ଅଛି ୩ ଟି ନଳକୂପ । ହେଲେ ସେଥିରୁ ବାହାରୁଛି ମାଟିଆ ପାଣି । ବାଧ୍ୟ ହୋଇ ଲୋକେ ପିଉଛନ୍ତି ପୋଖରୀର ଦୂଷିତ ପାଣି । କଳାହାଣ୍ଡିର ଦୁର୍ଗମ ଅଂଚଳ ଭଳି ସମାନ ସ୍ଥିତି ସିଲଭରସିଟି କଟକର । ସହରର ୪୮ ନମ୍ବର ୱାର୍ଡରେ ବର୍ଷ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା । ନା ନଳକୂପରୁ ଠିକରେ ପାଣି ବାହାରୁଛି ନା ପ୍ରଶାସନ ଜଳ ଯୋଗାଣ କରୁଛି । ଶେଷରେ ପିଏଚଡି ଅଫିସ ଆଗରେ ଧାରଣା ଦେଇଛନ୍ତି ଅଂଚଳ ବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –