ଓଡ଼ିଶାରେ ବଢୁଛି ଗରିବଙ୍କ ସଂଖ୍ୟା : ମାତ୍ର ଗୋଟିଏ ବର୍ଷ ଭିତରେ ସ୍କୋର ୫୯ ସ୍ଥାନରୁ ୪୭ ସ୍ଥାନକୁ ଖସିଲା ଓଡ଼ିଶା

688

କନକ ବ୍ୟୁରୋ : ୨୦୧୮ ତୁଳନାରେ ୨୦୧୯ରେ ଭାରତରେ ଗରିବୀ ବଢ଼ିଛି । ପୂର୍ବରୁ ଭାରତରେ ଗରିବୀ କମୁଥିବା ନେଇ ସବୁବେଳେ ତଥ୍ୟ ଆସୁଥିବା ବେଳେ ଏବେ ଗରିବୀ ବଢ଼ୁଥିବା ଖୋଦ୍ ନୀତି ଆୟୋଗର ସର୍ଭେ ସ୍ପଷ୍ଟ କରିଛି । ୨୮ଟି ରାଜ୍ୟରୁ ୨୨ଟିରେ ଗରିବୀ ବଢ଼ିଥିବା ବେଳେ ରାଜ୍ୟ ଭିତରେ ବିହାର ପରେ ଓଡ଼ିଶାରେ ଅଧିକ ଗରିବୀ ବଢ଼ିଥିବା ଦେଖାଯାଇଛି ।

ବର୍ଷକ ମଧ୍ୟରେ ଓଡ଼ିଶାରେ ଗରିବୀ ବଢ଼ିଛି । ବିହାର ପରେ ଓଡ଼ିଶାରେ ବଢ଼ିଛି ସବୁଠାରୁ ଅଧିକ ଗରିବୀ । ବର୍ଷକରେ ଓଡ଼ିଶା ସ୍କୋର ୫୯ରୁ ଖସି ୪୭କୁ ଖସିଆସିଛି । ଭାରତ ସମେତ ଓଡ଼ିଶାରେ କିଛି ଦଶନ୍ଧି ହେଲା ଗରିବୀ କମୁଥିବା ଦେଖାଯାଇଥିବା ବେଳେ ପ୍ରଥମ ଥର ପାଇଁ ୨୦୧୮ ମସିହା ତୁଳନାରେ ୨୦୧୯ ମସିହାରେ ଦେଶର ଅଧିକାଂଶ ରାଜ୍ୟରେ ଗରିବୀ ବଢ଼ିଥିବା ଦେଖାଯାଇଛି । ୨୮ଟି ରାଜ୍ୟରୁ ୨୨ଟି ରାଜ୍ୟରେ ଗରିବୀ ବଢ଼ିଥିବା ନୀତି ଆୟୋଗ ତାଙ୍କ ସର୍ଭେରେ ସ୍ୱୀକାର କରିଛନ୍ତି । ବିହାରରେ ଗରିବୀ ସବୁଠାରୁ ଅଧିକ ବଢ଼ିଥିବା ବେଳେ ଓଡ଼ିଶା ପଛ ପଟୁ ଦ୍ୱିତୀୟ ସ୍ଥାନରେ ରହିଛି । ମିଳିତ ଜାତିସଂଘର ସସ୍ଟନେବଲ୍ ଡେଭଲପମେଂଟ୍ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ-୨୦୧୯ ପାଇଁ ପାଇଁ ନୀତି ଆୟୋଗ ଏହି ସର୍ଭେ କରିଥିଲେ ।

ସସ୍ଟନେବଲ୍ ଡେଭଲପମେଂଟ୍ ଗୋଲ୍ ଜରିଆରେ ୨୦୩୦ ମସିହା ସୁଦ୍ଧା ସାରା ବିଶ୍ୱରୁ ଗରିବୀ, ଅନାହାର, ଅଶିକ୍ଷା ଭଳି ସମସ୍ୟା ଦୂର କରିବା ପାଇଁ ପୃଥିବୀର ୧୯୦ରୁ ଅଧିକ ଦେଶ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ଗରିବୀ. ଅନାହାର, ଅଶିକ୍ଷା ଭଳି ୧୭ଟି ପଏଂଟ ଉପରେ ମାର୍କିଂ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶା କାହିଁକି ଗରିବୀ ଓ ଅନାହାର ମୁହଁକୁ ଠେଲି ହୋଇଯାଉଛି, ସେ ନେଇ ଚିନ୍ତା ପ୍ରକାଶ ପାଇଛି ।