ଭାଙ୍ଗୁଛି ଗରିବ ଭିଡ! ଭାରତ ସମେତ ଓଡିଶାର ଗ୍ରାମାଂଚଳରେ କମୁଛି ଗରିବୀ

49

କନକ ବ୍ୟୁରୋ : ଓଡ଼ିଶାର ଗାଁରେ କେତେ ଧନୀ ଅଛନ୍ତି, ଆଉ କେତେ ଗରିବ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଲୋକସଭାରେ ଗରିବଙ୍କ ସଂଖ୍ୟା ଦେଇଛି । ଏଥିରୁ ଓଡ଼ିଶାର ଗାଁରେ ପ୍ରାୟ ୩୫ ପ୍ରତିଶତ ପରିବାର ଗରିବ ସୀମାରେଖା ତଳେ ରହୁଥିବା ଜଣାପଡ଼ିଛି । କିନ୍ତୁ ପୂର୍ବରୁ ୧୯୯୭ର ବିପିଏଲ୍ ତାଲିକା କହୁଛି- ଓଡ଼ିଶାର ଗାଁରେ ୬୬ ପ୍ରତିଶତ ପରିବାର ଗରିବ ସୀମାରେଖା ତଳେ ରହୁଥିଲେ । ସଂଖ୍ୟାର ଏହି ଖେଳ କହୁଛି- ଓଡ଼ିଶାର ଗାଁରେ ୨୦ ବର୍ଷରେ ଗରିବୀ ଅଧା କମିଛି ।

ଓଡ଼ିଶାର ଗାଁରେ ଅଛନ୍ତିି ୧ କୋଟି ୨୬ ଲକ୍ଷ ଗରିବ । ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ରାମକ୍ରିପାଲ୍ ଯାଦବ । ୨୦୧୧ ସାମାଜିକ-ଆର୍ଥିକ-ଜାତିଗତ ଜନଗଣନା ବା ଏସ୍ଇସିସିରୁ ଅନୁସାରେ, ଓଡ଼ିଶାର ଗ୍ରାମାଂଚଳରେ ପ୍ରାୟ ୮୭ ପ୍ରତିଶତ ଲୋକ ଗାଁରେ ରହୁଛନ୍ତି । ଏହି ତଥ୍ୟ ଅନୁସାରେ ଗରିବ ପରିବାର ସଂଖ୍ୟା ପ୍ରାୟ ୩୦ ଲକ୍ଷ ହେବ । ଏଥିରୁ ରାଜ୍ୟର ଗ୍ରାମାଂଚଳରେ ପ୍ରାୟ ୩୫ ପ୍ରତିଶତ ପରିବାର ଗରିବୀ ସୀମାରେଖା ତଳେ ରହୁଥିବା ସ୍ପଷ୍ଟି ହୋଇଛି ।

୧୯୯୭ ମସିହାର ବିପିଏଲ୍ ତାଲିକା ଅନୁଯାୟୀ ଓଡ଼ିଶାର ଗ୍ରାମାଂଚଳରେ ପ୍ରାୟ ୬୬ ପ୍ରତିଶତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ବୋଲି ହିସାବ କରାଯାଇଥିଲା । ଏବେ କିନ୍ତୁ ୨୦୧୧ ସାମାଜିକ-ଆର୍ଥିକ-ଜାତିଗତ ଜନଗଣନା ଅନୁସାରେ ପ୍ରାୟ ଏହି ହାର ୩୫ ପ୍ରତିଶତ ବୋଲି କୁହାଯାଉଛି । ସର୍ବଭାରତୀୟ ସ୍ତରରେ ଗ୍ରାମାଂଚଳରେ ପ୍ରାୟ ୩୧ ପ୍ରତିଶତ ପରିବାର ଗରିବୀ ସୀମାରେଖା ତଳେ ରହିଥିବା କୁହାଯାଉଛି ।

ଗରିବଙ୍କ ସଂଖ୍ୟା ନେଇ ବିବାବ ସବୁବେଳେ ଲାଗିଥାଏ । ସେ ତେନ୍ଦୁଲକର କମିଟି ରିପୋର୍ଟ ହେଉ ଅଥବା ରଙ୍ଗରାଜନ କମିଟି ରିପୋର୍ଟ । ୨୦୧୧ର ସାମାଜିକ-ଆର୍ଥିକ-ଜାତିଗତ ଜନଗଣନା ବା ଏସ୍ଇସିସି ଅନୁସାରେ ସର୍ବଭାରତୀୟ ସ୍ତର ଭଳି ଓଡ଼ିଶାରେ ବି ଦାରିଦ୍ର୍ୟ କମିଛି ।