ଆମେରିକା ରାଷ୍ଟ୍ରପତିଙ୍କ ଆଖିରୁ ଗୁଜୁରାଟର ଗରିବି ଲୁଚାଇବାକୁ ଭିନ୍ନ ପ୍ରୟାସ । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବସ୍ତିର ଦୟନୀୟ ଚିତ୍ର ଲୁଚାଇବାକୁ ନିର୍ମାଣ ହେଲା ବଡ ବଡ କାନ୍ଥ ।

2,075

କନକ ବ୍ୟୁରୋ : କାନ୍ଥ ଲୁଚାଇବ ଦାରିଦ୍ର୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ କିଛି ଏପରି ଭାବେ ପ୍ରସ୍ତୁତି ଆରମ୍ଭ କରିଛି ଗୁଜରାଟ ନଗର ନିଗମ । ବିମାନ ବନ୍ଦରରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଯିବା ରାସ୍ତାରେ ଥିବା ବସ୍ତିକୁ ଲୁଚାଇବା ପାଇଁ ନିର୍ମାଣ ଚାଲିଛି ବଡ ବଡ କାନ୍ଥ । ଅଧ କିଲୋମିଟରରୁ ଅଧିକ ରାସ୍ତାରେ ୭ରୁ ୮ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ କାନ୍ଥ ନିର୍ମାଣ କରାଯାଇ ଏହା ପଛରେ ଲୁଚାଇ ଦିଆଯାଇଛି ଦାରିଦ୍ର୍ୟର ଚିତ୍ରକୁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ବଡ ବଡ ନେତା ମନ୍ତ୍ରୀଙ୍କ ଆଗମନ ବେଳେ ଏଠାରେ ସବୁଜ ରଙ୍ଗର ପରଦା ଦେଇ ଏହାକୁ ଘୋଡାଇ ଦିଆଯାଉଥିଲା । ଏବେ କିନ୍ତୁ ଏଠାରେ ନିର୍ମାଣ କରାଯାଉଛି କାନ୍ଥ ।

ଏହି ବସ୍ତି ଅଂଚଳରେ କାନ୍ଥ ନିର୍ମାଣକୁ ନେଇ ଅହମଦାବାଦ ମେୟରଙ୍କୁ ପଚରା ଯିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହିଛନ୍ତି । ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଇସ୍ରାଇଲ ରାଷ୍ଟ୍ରପତି ନେତନ୍ୟାହୁଙ୍କ ଗସ୍ତ ସମୟରେ ଏଠାରେ ବଡ ପରଦା ଦେଇ ବସ୍ତିଙ୍କୁ ଲୁଚାଇ ଦିଆଯାଇଥିଲା ।

୨୪ ଓ ୨୫ତାରିଖ ଦୁଇ ଦିନ ଧରି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବାକୁ ଥିବା ବେଳେ ୨୪ତାରିଖରେ ଅହମଦାବାଦରେ କେମ୍ ଛୋ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଉ ଏହାପୂର୍ବରୁ ଦେଶର ଦାରିଦ୍ର୍ୟର ଚିତ୍ର ଲୁଚାଇବାକୁ ବସ୍ତି ଆଗରେ କାନ୍ଥ ଛିଡା କରୁଛନ୍ତି ସରକାର । ଏହି ଗସ୍ତ ସମୟରେ ଗୁଜୁରାଟରେ ନିର୍ମିତ ହେଉଥିବା ଦେଶର ସବୁଠୁ ବଡ ଷ୍ଟାଡିୟମ ମଧ୍ୟ ଉଦଘାଟନ କରିବା ନେଇ ସୂଚନା ମିଳିଛି । ଆଉ ଏହିଠାରୁ ହିଁ ଏକ ସଭାକୁ ସମ୍ବୋଧିତ କରିପାରନ୍ତି ଟ୍ରମ୍ପ ।