ଶ୍ରାବଣ ମାସରେ ଶିବ ମନ୍ଦିରରେ ଜଳାଭିଷେକ ମନା : ସୁବର୍ଣ୍ଣପୁର ପଂଚରଥ ମନ୍ଦିରର ନିଆରା ପରମ୍ପରା

56

କନକ ବ୍ୟୁରୋ : ଶ୍ରାବଣ ମାସ । ଶୈବପୀଠରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ । ପବିତ୍ର ନଦୀଗୁଡିକରୁ ପାଣି କଳସୀ ନେଇ ଭକ୍ତମାନେ ଜଳାଭିଷେକ ପାଇଁ ଛୁଟି ଯାଉଛନ୍ତି ଦୂର ଦୁରାନ୍ତରେ ଥିବା ଶୈବପୀଠଗୁଡିକୁ । ହେଲେ ସୁବର୍ଣ୍ଣପୁର ସହରରେ ଏମିତି ଏକ ଶିବ ମନ୍ଦିର ରହିଛି ଯେଉଁଠି ବୋଲବମ ଭକ୍ତମାନେ ପାଣି ଢାଳିବାର ସୌଭାଗ୍ୟ ପାଆନ୍ତି ନାହିଁ ।

ଅଷ୍ଟଶମ୍ଭୁଙ୍କ ପୀଠ ସୁବର୍ଣ୍ଣପୁର । ସହରର ମଧ୍ୟଭାଗରେ ରହିଛି ପଂଚରଥ ମନ୍ଦିର । ଯେଉଁଠାରେ ସପରିବାରେ ପୂଜା ପାଆନ୍ତି ଭଗବାନ ଶିବ । ସବୁ ଶୈବପୀଠଗୁଡିକରେ ନାଗ ଓ ଲିଙ୍ଗର ଉପାସନା ହେଉଥିବାବେଳେ ଏହି ମନ୍ଦିରରେ ଭଗବାନ ଶିବଙ୍କ ପ୍ରତିମା ସବୁ ପୂଜା ପାଆନ୍ତି । ଶ୍ରାବଣ ମାସରେ ସହରର ଅନ୍ୟ ସବୁ ମନ୍ଦିରରେ କାଉଡିଆମାନେ ଜଳାଭିଷେକ କରୁଥିବା ବେଳେ ଏଠାରେ ଜଳାଭିଷେକ କରାଯାଏ ନାହିଁ । କାରଣ ପଂଚରଥ ମନ୍ଦିରରେ ଦିନକୁ ଥରେ ମାତ୍ର ପୂଜକ ସପରିବାରେ ହରହର ମହାଦେବଙ୍କ ସ୍ନାନ କରାଇଥାନ୍ତି ।

ଭଗବାନ ଶିବଙ୍କ ସହ ମାତା ପାର୍ବତୀ, ଗଣେଷ, କାର୍ତ୍ତିକେୟ , ବୃଷଭ ପରସ୍ପର ସଲଗ୍ନ ପାଂଚୋଟି ମନ୍ଦିରରେ ପୂଜା ପାଇଥାନ୍ତି । ୧୯୨୨ ମସିହାରେ ରାଜା ବୀରମିତ୍ର ସିଂହଦେଓ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ପ୍ରାଚୀନ ନ ହେଲେ ବି ମନ୍ଦିରଟି ବେଶ୍ କାରୁକାର୍ଯ୍ୟପୂର୍ଣ୍ଣ । ରଥାକୃତୀ ଶୈଳୀରେ ତିଆରି ଏହି ମନ୍ଦିରରେ ପାଂଚୋଟି ଦେଉଳ ଥିବାରୁ ଏହାକୁ ପଂଚରଥ ମନ୍ଦିର ବୋଲି କୁହାଯାଏ । ସବୁ ଶୈବପୀଠ ପରି ଏହି ପୀଠରେ ଭଗବାନ ଶିବଙ୍କ ସବୁ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବର୍ଷ ସାରା ଶ୍ରଦ୍ଧାଳୁମାନେ ହର ହର ମହାଦେବଙ୍କ କରିଥାନ୍ତି ।

ଶୈବପୀଠ ଗୁଡିକରେ ସାଧାରଣତଃ ପ୍ରତୀମା ପୂଜା ହୁଏ ନାହିଁ । ଏହି ମନ୍ଦିରରେ ଭଗବାନ ଶିବଙ୍କ ପ୍ରତିମା ସହିତ ପରିବାରର ସଭିଏଁ ପୂଜା ପାଉଥିବାରୁ ଏହା ଏକ ଅନନ୍ୟ ଶୈବପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।