ସମୟ ସ୍ରୋତରେ ବଦଳୁଛି ମଣିଷ । କଂକ୍ରିଟ୍-ମୋବାଇଲ ଯୁଗରେ ଜୀବନ ଖୋଜୁଛି ମାଟି, ହଜି ଯାଉଛି କୁମ୍ଭାର କାରିଗରର କିର୍ତ୍ତୀ ।

ମୃତ୍ୟୁ ପରେ ମଣିଷର ଶେଷ ଠିକଣା ପାଲଟି ଥାଏ କେବଳ ମୁଠେ ମାଟି ।

690

କନକ ବ୍ୟୁରୋ: ‘ମାଟି’ ଏମିତି ଏକ ଶବ୍ଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଜୀବନରେ ଜଡ଼ିତ ହୋଇ ରହିଥାଏ । କଅଁଳ ଶିଶୁଟି ଜନ୍ମ ହେବାପରେ ମା’ଟି ତା ମୁଣ୍ଡରେ ମାଟି ଲଗାଇଥାଏ ,  ଆଉ କିଏ ଏହି ମାଟିକୁ ନିଜ ମା’ ପରି ପୂଜା କରେ, ଆଉ କିଏ ଏହି ମାଟିକୁ ନିଜର ବେଉସା କରିଥାଏ । ଏପରିକି ମୃତ୍ୟୁ ପରେ ମଣିଷର ଶେଷ ଠିକଣା ପାଲଟି ଥାଏ କେବଳ ମୁଠେ ମାଟି । ହେଲେ ସମୟ ସ୍ରୋତରେ ବଦଳୁଥିବା ମଣିଷର ଜୀବନଶୌଳୀ ଭଳି ଏବେ ମାଟିକୁ ଜୀବନ ଦେଉଥିବା କୁମ୍ଭାର କାରିଗରଙ୍କ ଭବିଷ୍ୟତ ଯେମିତି ମାଟିରେ ମିଶିବାକୁ ବସିଲାଣି । କାରଣ ଯେଉଁ ହାତ ସ୍ପର୍ଶ ବାଜିବା ମାତ୍ରେ ଯେଉଁ ମାଟି ଜୀବନ୍ତରୂପ ନେଇଥାଏ ସେହି କୁମ୍ଭାର କାରିଗରଙ୍କ ହାତ ଏବେ ବନ୍ଦ ହୋଇଯିବାକୁ ବସିଲାଣି । କାରଣ ବର୍ତ୍ତମାନର ପିଢ଼ୀଙ୍କ ହାତରେ ମାଟି ଖେଳଣା ବଦଳରେ ମୋବାଇଲର ଦବଦବା ଅଧିକ ରହିଛି ।

ପିଲାଦିନେ ଘର ଦାଣ୍ଡରେ ମାଟି କାଦୁଆରେ ଖେଳଣା ଗଢ଼ିବା ସତେ ଯେମିତି ଏବେ ଇତିହାସ ହେବାକୁ ବସିଲାଣି । ଏପରିକି ପିଲାଦିନେ ଯେଉଁ ହାତରେ ମାଟିର କଣ୍ଢେଇ ପାଇବାକୁ ଅଳି କରୁଥିଲା ସେହି ହାତରେ ଏବେ ଆଉ ମାଟିରେ ସ୍ୱର୍ଶ ବାଜିବାକୁ ଦେଉ ନାହାନ୍ତି କେହି । ଆଉ ଲାଗୁଛି କୁମ୍ଭାର ବେଉସା ବି ବନ୍ଦ ହେବାକୁ ବସିଲାଣି । ସମୟ ମିଳିଲେ ଛୁଆ ବୁଢ଼ା ସମସ୍ତଙ୍କ ହାତରେ ମୋବାଇଲ । ଆଉ ମୋବାଇଲ ଭିତରେ ଜୀବନ ଖୋଜୁଛି ମାଟି ।

ସେପଟେ ସମୟ ସ୍ରୋତରେ ବଦଳୁଥିବା ଲୋକଙ୍କ ଜୀବନଶୌଳୀ ମଧ୍ୟରେ କୁମ୍ଭାରଙ୍କ ଭିତରେ ମାଟିକଳାକୁ ବଞ୍ଚାଇ ରଖିଛି ଟେରାକୋଟା । କଂକ୍ରିଟ ଓ ମୋବାଇଲ ଯୁଗରେ ବୁଡି ଯାଉଥିବା ବେଉସାକୁ ବଂଚାଇ ରଖିବାର ଆଉ ଏକ ପ୍ରୟାସ । କୁନି ହାତରେ ମାଟି ପିଣ୍ଡୁଳା । ମାଟି ପୁଣ୍ଡୁଳାରୁ ସୁନ୍ଦର ଟେରାକୋଟା । ମାଟିରେ ହାଣ୍ଡ, ମାଠିଆ, ଦୀପ ତିଆରି କରି ପେଟ ପୋଶୁଥିଲେ କୁମ୍ଭାର ପରିବାର । କାଳକ୍ରମେ ଏହି କଳା ବୁଡିବାକୁ ବସିଥିବା ବେଳେ ଏହାକୁ ବଂଚାଇ ରଖିବା ପାଇଁ ମାଟିକଳାର ରୂପରେ ପରିବର୍ତନ କରାଯାଇଛି । ମାଟିରେ ସୁନ୍ଦର ସୁନ୍ଦର ଦୀପ, ହାତୀ ଘୋଡା ଓ ସୌଖୀନି ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଆଉ ଏଥିପାଇଁ କୁନି କୁନି ପିଲାଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ଏଭଳି କିଛି ଦୃଶ୍ୟ ବାଲେଶ୍ୱରରେ ଦେଖିବାକୁ ମିଳିଛି ।

ସ୍କୁଲ ପିଲାଙ୍କର ବର୍ତମାନ ଖରା ଛୁଟି ଚାଲିଛି । ଆଉ ଏହି ଛୁଟିର ସଦୁପଯୋଗ କରିବା ସହ କୁନି କୁନି ପିଲାଙ୍କୁ ମାଟି ସହ ପରିଚୟ କରିବା ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱରର ଫାମସ ସଂଗଠନ । ଟେରାକୋଟା ତାଲିମ ଶିବିରର ଆୟୋଜନ କରି ସକାଳ ୬ଟାରୁ ପିଲାଙ୍କୁ ମାଟିରେ ପ୍ରସ୍ତୁତ ସୌଖିନୀ ସାମଗ୍ରୀ ତିଆରି କୌଶଳ ସିଖାଉଛନ୍ତି । ପ୍ରକୃତରେ କୁନିକୁନି ପିଲାଙ୍କ କୁନି ହାତରେ ହାତୀ ହେଉ କି ଫୁଲଦାନୀ କିମ୍ବା ଚଢ଼େଇ ରୂପ ଏକ ଭିନ୍ନ ଧରଣର ଆତ୍ମସନ୍ତୋଷ ଓ ଖୁସି ଫୁଟାଇ ପାରିଛି କୁନି ପିଲାଙ୍କ ମୁହଁରେ ।