ପିଆଜ ଦର ଖସୁଛି, ଆଳୁ ବଢୁଛି : ଖୁଚୁରା ବଜାରରେ ଉଭୟ ଆଳୁ ପିଆଜ ସମାନ ଦରରେ । ଅମଳ ସମୟରେ ଆଳୁ ୧୫ ଛୁଇଁଲାଣି, ଅଗଷ୍ଟ ବେଳକୁ କନ୍ଦାଇବ

224

କନକ ବ୍ୟୁରୋ : ମାସକ ପୂର୍ବେ ପିଆଜ କନ୍ଦାଉଥିଲା। କିଲୋ ୪୦ ଟପି ୫୦ ଟଙ୍କାକୁ ଛୁଇଁ ଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ପିଆଜ ଦର ଖସି ଖସି ଯାଉଥିବାବେଳେ ତାକୁ ଟପିବାକୁ ବସିଲାଣି ଆଳୁ ଦର। ମାତ୍ର ଗୋଟିଏ ସପ୍ତାହ ଭିତରେ ଆଳୁ ଦର କିଲୋ ପିଛା ୭ ଟଙ୍କା ବଢ଼ିଯାଇଥିବାବେଳେ ପିଆଜ ଦର ମାସକ ଭିତରେ ୨୫ ଟଙ୍କା ଖସି ଯାଇଛି। ବର୍ତ୍ତମାନ ଖୁଚୁରା ବଜାରରେ ଉଭୟ ଆଳୁ ପିଆଜ ସମାନ ୧୫ ଟଙ୍କା ଦରରେ ରହିଛନ୍ତି। ଆଳୁ ଦର ଯେମିତି ଅହେତୁକ ଭାବେ ବୃଦ୍ଧି ପାଉଛି, ଖୁବ୍ ଶୀଘ୍ର ପିଆଜ ଦରକୁ ଟପିଯିବ ବୋଲି ବ୍ୟବସାୟୀ ମହଲ ଆଶଙ୍କା କରୁଛନ୍ତି। ଅମଳ ସମୟରେ ଆଳୁ ଦର ଏଭଳି ଉଚ୍ଚା ରହିଥିବାରୁ ଆଗାମୀ ଦିନରେ ଆକାଶଛୁଆଁ ହେବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳୁଛି। ଯଦି ଏବେଠାରୁ ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ଅଗଷ୍ଟ ମାସ ବେଳକୁ ଆଳୁ ଦର ୨୫ ଟଙ୍କା ପର୍ଯ୍ୟନ୍ତ ଯିବା କିଛି ଅସମ୍ଭବ ନୁହେଁ। ତେଣୁ ଆଗକୁ ଆଳୁ କନ୍ଦେଇବ ବୋଲି ଚର୍ଚ୍ଚା ହେଲାଣି।

ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ବର୍ତ୍ତମାନ ଭଲ ପିଆଜର ପାଇକାରୀ ଦର ହଜାରେ ରୁ ୧୧ଶହ ରହିଛି। ଅର୍ଥାତ୍ କିଲୋ ପିଛା ୧୦/୧୧ଟଙ୍କା ଅଛି। ତେଣୁ ଖୁଚୁରା ବଜାରରେ ପିଆଜ କିଲୋ ୧୫ ଟଙ୍କା ରହିବ। ଆଜି କ୍ୟାପିଟାଲ ହାଟରୁ ମିଳିଥିବା ସୂଚନାନୁସାରେ ପିଆଜର ଖୁଚୁରା ଦର ୧୪/୧୫ ଟଙ୍କା ରହିଛି। ତେଣୁ ଗତ ମାସ ତୁଳନାରେ ବର୍ତ୍ତମାନ ପିଆଜ ଦର ପାଖାପାଖି ୨୫ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି। ଖାଉଟିଙ୍କ ପାଇଁ ଏହା ଏକ ଭଲ ଖବର। ଅମଳ ସମୟ ହୋଇଥିବାରୁ ପିଆଜ ଦର ଖସିବା ସ୍ୱାଭାବିକ ଓ ଆସନ୍ତା ମାସ ବେଳକୁ ପଶ୍ଚିମ ଓଡ଼ିଶାରେ ପିଆଜ ଅମଳ ହେଲେ ଆହୁରି ଦର କମିବ ବୋଲି ଆଶା କରାଯାଉଛି।

ମାତ୍ର ଖାଉଟିଙ୍କ ପାଇଁ ଖରାପ ଖବର ବି ରହିଛି। ଆଳୁ ଦର ବଢ଼ି ବଢ଼ି ଚାଲିଛି। କୁବେରପୁରୀର ସୂଚନାନୁସାରେ ଆଜି ଆଳୁ ଦର କ୍ୱିଣ୍ଟାଲ ପିଛା ୧୧ଶହ ପର୍ଯ୍ୟନ୍ତ ରହିଛି। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୧୫ ଟଙ୍କା ରହିବା ସ୍ୱାଭାବିକ । ଆଜି ରାଜଧାନୀର ବହୁ ହାଟରେ ଆଳୁ ଦର ୧୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ପାଇଛି। ଗତବର୍ଷ ଅଧିକ ଅମଳ ହେତୁ ସେଠିକାର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଗତବର୍ଷ ଆଳୁ ଦର ୧୦ ଟଙ୍କାକୁ ଟପିଲା ନାହିଁ। ତେଣୁ କ୍ଷତିଗ୍ରସ୍ତ ବହୁ ଚାଷୀ ଚଳିତ ବର୍ଷ ଆଳୁ ଚାଷରୁ ମୁହଁ ଫେରାଇନେଲେ। ହଜାର ହଜାର ଏକର ଆଳୁ ଜମି ପଡ଼ିଆ ପଡ଼ିଲା। ତେଣୁ ଚଳିତ ବର୍ଷ ଆଳୁ ଅମଳ କମ୍ ହୋଇଥିବାରୁ ଦର ବୃଦ୍ଧି ହେଉଛି। ଏହା ବାଦ୍ ବର୍ତ୍ତମାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଶୀତଳଭଣ୍ଡାରରେ ଆଳୁ ସାଇତିବାରେ ଲାଗିଛନ୍ତି। ଫଳରେ ବଜାରକୁ ପର୍ଯ୍ୟାପ୍ତ ଆଳୁ ଆସି ପାରୁନାହିଁ, ଦର ବଢ଼ୁଛି। ଶୀତଳ ଭଣ୍ଡାର ଭର୍ତ୍ତି ହେବା ପରେ ଆଗକୁ ହୁଏତ ଏହି ପରିସ୍ଥିତିରେ ସୁଧାର ଆସିପାରେ ବୋଲି ଆଶା କରାଯାଉଛି। କିନ୍ତୁ ଅମଳ ଦୃଷ୍ଟିରୁ ଦେଖିଲେ ଏହି ସମ୍ଭାବନା କମ୍। ଅମଳ କମ୍ ହୋଇଥିବାରୁ ଉଭୟ ବ୍ୟବସାୟୀ ଓ ଚାଷୀମାନେ ଭବିଷ୍ୟତ ପାଇଁ ଶୀତଳଭଣ୍ଡାରରେ ସାଇତିବା ପାଇଁ ଚାହିଁବେ। ତେଣୁ ଦର କମିବ ବୋଲି ଏବେଠାରୁ ଅନୁମାନ ଲଗାଇବା ମୁସ୍କିଲ।

ସେହିଭଳି ଓଡ଼ିଶାରେ ଆଳୁ ମିସନ୍ ଫେଲ୍ ମାରିଥିବାରୁ ଚାଷ ଆଖିଦୃଶିଆ ହୋଇନାହିଁ। ଏହା ମଧ୍ୟ ଦରବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ। କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡାଙ୍କ କହିବା କଥା ଏବେଠାରୁ ସରକାର ଯଦି ଆଳୁ କିଣି ରଖିବେ, ତେବେ ଆଗକୁ ଆକାଶଛୁଆଁ ହେବା ଭଳି ପରିସ୍ଥିତି ଉପୁଜିବ ନାହିଁ। କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ଉପଯୁକ୍ତ ଯୋଜନା ଜରୁରୀ। ଓଡ଼ିଶାରେ ବଜାର ଚାହିଦା ଦୃଷ୍ଟିରୁ ଏବେଠାରୁ ସରକାର ଅତି କମ୍ରେ ଏକ ଲକ୍ଷ ଟନ୍ ଆଳୁ କିଣି ସାଇତିବା ଜରୁରୀ । ନଚେତ୍ ଆଗକୁ ଆଳୁ କନ୍ଦାଇବା ନିଶ୍ଚିତ ବୋଲି ଜଳଜଳ ହୋଇ ଦିଶିଯାଉଛି।