ଟଳିବ କି ଆଳୁ ସଙ୍କଟ ? ବେଆଇନ ମହଜୁଦକାରୀଙ୍କ ବିରୋଧରେ ଚଢ଼ାଉ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

53

କନକ ବ୍ୟୁରୋ : ଗତ ସପ୍ତାହରେ ରାଜ୍ୟରେ ଆଳୁ ଦର କିଲୋ ପିଛା ୧୨ରୁ ୧୫ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା । ଗତ ତିନିଦିନରେ ଅଚାନକ ଓ ଅହେତୁକ ଭାବେ ଆଳୁ ଦର କିଲୋ ପିଛା ୧୮ରୁ ୨୦ ଟଙ୍କାକୁ ବୃଦ୍ଧି ପାଇଛି । ସାଧାରଣତଃ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆଳୁ ଦର ବୃଦ୍ଧି ପାଇବା ସ୍ୱାଭାବିକ । କିନ୍ତୁ ଅଦିନିଆ ଦର ବଢ଼ିଥିବାରୁ ଖାଉଟିଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବେଆଇନ ଆଳୁ ମହଜୁଦ୍‌କାରୀଙ୍କ ବିରୋଧରେ ଚଢ଼ାଉ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି । ବିଭାଗୀୟ ସଚିବ ମଧ୍ୟ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଳୁର କଳାବଜାର, ବେଆଇନ ମହଜୁଦ୍‌ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି ।

ଆଜି ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବଜାରରେ ଆଳୁ ଦର, ଏହାର ଯୋଗାଣ ଏବଂ କଳାବଜାର କିମ୍ବା ମହଜୁଦ୍‌ ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତିି । ବିଶେଷ କରି ରାଜ୍ୟର ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲାଗୁଡ଼ିକ ଦେଇ ରାଜ୍ୟ ଭିତରକୁ ଆସୁଥିବା ଆଳୁ ପରିବହନ, ଯୋଗାଣ ଯେପରି ସୁରୁଖୁରୁରେ ହୋଇପାରିବ ତା’ ଉପରେ ଦୃଷ୍ଟି ରଖିବାକୁ ସେ କହିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଆଳୁ ଯୋଗାଣ ବାଧାପ୍ରାପ୍ତ ନ ହେବ, ସେଥିପ୍ରତି ସଂପୃକ୍ତ ଜିଲ୍ଲା ପ୍ରଶାସନ ନଜର ରଖିବେ । ତେବେ ବେଆଇନ ମହଜୁଦ୍‌କାରୀମାନଙ୍କ ଗୋଦାମ ଚଢ଼ାଉ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ବିଭାଗ ଅଧୀନରେ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ ସଂସ୍ଥା ରହିଛି । ଏହି ସଂସ୍ଥାର ୪୪ଟି ମଞ୍ଜୁରୀପ୍ରାପ୍ତ କର୍ମଚାରୀ ପଦବି ରହିଛି । କିନ୍ତୁ ପ୍ରକୃତରେ ୧୭ଜଣ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ ଇନ୍‌ପେକ୍ଟର ଏବଂ ୩ଜଣ ଅଫିସର କାର୍ଯ୍ୟ କରୁଛନ୍ତି । ଏଥିରୁ ମନ୍ତ୍ରୀଙ୍କ ନିର୍ଦେଶ କିଏ କିପରି କାର୍ଯ୍ୟକାରୀ କରିବ ତାହା ବେଶ୍‌ ଅନୁମେୟ ।

ବିଭାଗୀୟ ସୂଚନା ଅନୁଯାୟୀ ଆଳୁ ଯୋଗାଣରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ପ୍ରତିଦିନ ଭୁବନେଶ୍ୱରକୁ ୨୦ରୁ ୨୫ ଟ୍ରକ ଆଳୁ ଆସୁଛି । କଟକ, ଭୁବନେଶ୍ୱରରେ ଆଳୁର ପାଇକାରି ମୂଲ୍ୟ କିଲୋ ପିଛା ପ୍ରାୟ ୧୫ ଟଙ୍କା ଥିବା ବେଳେ ଖୁଚୁରା ଦର ୧୮ ଟଙ୍କା । ତେବେ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ବିଭିନ୍ନ ସ୍ଥାନରେ ଆଳୁ କିଲୋ ୨୦ ଟଙ୍କା ରହିଛି । ପଶ୍ଚିମବଙ୍ଗରେ ନୂଆ ଆଳୁ ଶୀତଳଭଣ୍ଡାରରେ ଗଚ୍ଛିତ ପ୍ରକ୍ରିୟା ଆରମ୍ଭ ହେଉଛି । ଖୁବଶୀଘ୍ର ପୂର୍ବରୁ ଗଚ୍ଛିତ ଆଳୁ ବଜାରକୁ ଛଡ଼ାଯିବ । ଏଣୁ, ଆଳୁ ଦର ସ୍ୱାଭାବିକ ହେବାର ସମ୍ଭାବନା ଅଧିକ । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଛି । କିନ୍ତୁ ରାଜ୍ୟର ବାର୍ଷିକ ଚାହିଦା ୧୨.୫୦ ଲକ୍ଷ ଟନ୍‌ । ଏଣୁ, ଅବଶିଷ୍ଟ ପରିମାଣର ଆଳୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରୁ ଆମଦାନି କରିବାକୁ ପଡ଼ୁଛି ।