୧୫ ଦିନର ଶିଶୁକୁ କିଏ ମାରିଛି । ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସଂଘାତିକ ତଥ୍ୟ, ଦୋଷ ଲୁଚାଇବା ପାଇଁ ମାଙ୍କଡ ମୁଣ୍ଡରେ ବୋଳାଯାଉଛି କି ଅଠା ?

31

କନକ ବ୍ୟୁରୋ : ବାଙ୍କୀରେ ୧୫ ଦିନର ନିଖୋଜ ଶିଶୁ ମୃତ୍ୟୁ ଘଟଣାରେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି. ଶିଶୁ ପୁତ୍ର ଦେହରେ ମାଙ୍କଡ ନଖର କୌଣସି କ୍ଷତଚିହ୍ନ ନାହିଁ । ପୋଷ୍ଟମର୍ଟମର ୩୦ ଘଂଟା ପୂର୍ବରୁ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ଘଟିଥିବା ରିପୋର୍ଟରେ ଲେଖାଯାଇଛି । ରିପୋର୍ଟ ଆସିବା ପରେ ଶିଶୁଟିର ମୃତ୍ୟୁର କାରଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

୧୫ ଦିନର ଶିଶୁ ପୁତ୍ରକୁ ଖୋଜିଖୋଜି ନୟାନ୍ତ ହେବାପରେ ଅଚାନକ୍ ଘର ବାଡ଼ି ପଟରୁ ମୃତଦେହ ଉଦ୍ଧାର ହେବା ଘଟଣା, ଯେତିକି ସନ୍ଦେହ ସୃଷ୍ଟି କରିଛି, ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି ମୃତ ଶିଶୁର ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ୍ ରିପୋର୍ଟରେ ରହିଛି ଚାଚଂଲ୍ୟକର ତଥ୍ୟ । ଏଥିରେ କୁହାଯାଇଛି-
-ମୃତ ଶିଶୁ ଦେହରେ ମାଙ୍କଡ଼ ନଖର କୌଣସି ଚିହ୍ନ ନାହିଁ
-ଶ୍ୱାସ ରୁଦ୍ଧ ହେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଛି
-ପୋଷ୍ଟମର୍ଟମର ୩୦ ଘଂଟା ପୂର୍ବରୁ ହୋଇଛି ଶିଶୁର ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟରେ ଥିବା ଏହି ସବୁ ତଥ୍ୟ, ଏବେ ବାଙ୍କୀ ତାଳବସ୍ତ ଗାଁର ଶିଶୁର ମୃତ୍ୟୁକୁ ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନ ? ମାଙ୍କଡ଼ର କାହାଣୀ କହି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବାଟବଣା କରିବାକୁ ଉଦ୍ୟମ କରାଯାଉଛି କି ? ଏମିତିକି ଏନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।ଅନ୍ୟପଟେ ବାଙ୍କୀ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଆସିଥିବା ତଥ୍ୟ-ବାଙ୍କୀ ଶିଶୁ ମୃତ୍ୟୁ ଘଟଣାକୁ ଏବେ ଆହୁରି ରସହ୍ୟ ଘେରକୁ ଠେଲି ଦେଇଛି ।