କିଏ ବୋଳିଲା ମୋଦିଙ୍କ ପୋଷ୍ଟରରେ କାଳି ? ଘଟଣା ନେଇ ଟିଏମସିକୁ ଦାୟୀ କଲା ବିଜେପି ।

92

କନକ ବ୍ୟୁରୋ : ଶନିବାର ଠାରୁ ମମତାଙ୍କ ଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ୨୦୧୯ର ବିଗୁଲ ବଜାଇଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗରେ ଦୁଇଟି ବିଶାଳ ରାଲିକୁ ସମ୍ବୋଧିତ କରିଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ । ପଶ୍ଚିମବଙ୍ଗରେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଲାଗିଥିବା ବ୍ୟାନର ଏବଂ ପୋଷ୍ଟରରେ କାଳି ବୋଳା ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯିବା ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଅଭିଯୋଗ କରିଛି, ଏପରି କାର୍ଯ୍ୟ ଟିଏମସି କାର୍ଯ୍ୟକର୍ତାମାନେ ନିଜ ହାତରେ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି, ଯେଉଁ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦି ଯିବାର କାର୍ଯ୍ୟକ୍ରମ ରହିଥିଲା, ସେହି ରାସ୍ତାପାଶ୍ୱର୍ରେ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳି ବୋଳାହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହା ପୂର୍ବରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁର୍ଗାପୁର ଠାରେ ତାଙ୍କ ପୋଷ୍ଟରକୁ ଫାଡି ଦିଆଯାଇଥିଲା । ଆଉ ଏହା ଉପରେ ମମତା ବାନାର୍ଜିଙ୍କ ପୋଷ୍ଟର ଲଗାଯାଉଥିବା ସେ ଅଭିଯୋଗ କରିଥିଲେ ।

ନିର୍ବାଚନ ପୂର୍ବରୁ ମୋଦିଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି । ତେବେ ମୋଦିଙ୍କ ଏହି ରାଲି ବ୍ୟତୀତ ପଶ୍ଚିମବଙ୍ଗରେ ବିଜେପି, ୧୦୦ରୁ ଅଧିକ ରାଲି କରିବ ବୋଲି ଜଣାପଡିଛି । ଏହା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପଟେ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ତାଙ୍କ ପୋଷ୍ଟରରେ କାଳି ବୋଳାହେବା ଘଟଣା ରାଜନୀତିକୁ ଆହୁରି ଜୋରଦାର କରିଛି ।