ବ୍ରହ୍ମପୁରରେ ପୋଷ୍ଟର ୱାର! କାନ୍ଥ ବାଡରେ ପୋଷ୍ଟର ମାରି ବିଜେପି ନେତା ଗୋଲକ ମହାପାତ୍ରଙ୍କ ଗିରଫ ଦାବିକଲା ବୁଦ୍ଧିଜୀବୀ ମଂଚ

41

କନକ ବ୍ୟୁରୋ : ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବିରୋଧରେ ପୋଷ୍ଟର । ବ୍ରହ୍ମପୁରରେ କାନ୍ଥବାଡରେ ଗୋଲକଙ୍କ ଗିରଫଦାବି ଦାବିରେ ପୋଷ୍ଟର ମରା ଯାଇଛି । ବୁଦ୍ଧିଜୀବୀ ମଂଚ ତରଫରୁ ଏହି ପୋଷ୍ଟର ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ରାଜନୈତିକ ଅସ୍ଥିରତା ସୃଷ୍ଟିକାରୀ ତଥା ଜଘନ୍ୟ ହତ୍ୟାକାଣ୍ଡର ଖଳନାୟକ ଗୋଲକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ପୋଷ୍ଟରରେ ଦାବି କରାଯାଇଛି ।

ଗଂଜାମ ଜିଲ୍ଲା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ ଧରା ପଡିବା ପରେ ଗୋଲକ ମହାପାତ୍ରଙ୍କ ନାମ ନେଇଥିଲେ । ହତ୍ୟାକାଣ୍ଡ ପରଠାରୁ ସେମାନଙ୍କ ଆତ୍ମଗୋପନ ପାଇଁ ଗୋଲକ ସହଯୋଗ କରିଥିବା ଅଭିଯୁକ୍ତ ଦ୍ୱୟ ପୋଲିସ ଆଗରେ ସ୍ୱୀକାର କରିଥିଲେ । ଏହାପରେ ଛତ୍ରପୁର ପୋଲିସ ଗୋଲକଙ୍କୁ ଡାକି ବୟାନ ରେକର୍ଡ କରିଛି । ତେବେ ଏହି ହତ୍ୟାକାଣ୍ଡରେ ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ବିଜେଡି ଲଗାତାର ଗୋଲକ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛି ।