ଯୁବ କଂଗ୍ରେସର ପୋଷ୍ଟର ହଟାଅ ଅଭିଯାନ ! ତେଲ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଡେଲଟା ଛକ ପେଟ୍ରୋଲ ପମ୍ପରେ ଚିରିଲେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର

30

କନକ ବ୍ୟୁରୋ: ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସର ମୋଦି ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ କରିଛି । ଆଜି ଭୁବନେଶ୍ୱର ଡେଲଟା ଛକରେ ଥିବା ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଲାଗିଥିବା ପୋଷ୍ଟରକୁ ଚିରିଦେଇଛନ୍ତି । ଘଟଣାରେ ୧୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ଏଠାରେ ଆମେ କହି ରଖୁଛୁ କି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବାରମ୍ବାର ତୈଳ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡି ସମଗ୍ର ରାଜ୍ୟରେ ତିନି ଘଣ୍ଟିଆ ପ୍ରତୀକାତ୍ମକ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲା। ଏହା ସହିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ ବିଜେଡି ନେତା।

ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଜବାବ ଦେଇଥିଲା ବିଜେପି । ଦଳର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଥିଲେ କି, ଟିକସ ବାବଦକୁ ପେଟ୍ରୋଲରେ ଓଡ଼ିଶା ତହବିଲକୁ ଲିଟର ପିଛା ୨୯ ଟଙ୍କା ୨୮ ପଇସା ଯାଉଛି । କେନ୍ଦ୍ର ସରକାର ୪ଟଙ୍କା ୫୨ ପଇସା ପାଉଛନ୍ତି । ସେହିପରି ଡିଜେଲରେ ରାଜ୍ୟ ସରକାର ୨୫ ଟଙ୍କା ୬୪ ପଇସା ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ପାଖକୁ ଯାଉଛି ୩ ଟଙ୍କା ୫୬ ପଇସା । ବିଜେପି କହିଛି କି, ପେଟ୍ରୋଲ ଜାତ ଦ୍ରବ୍ୟରେ ୨୦୧୪-୧୫ରେ ରାଜ୍ୟ ସରକାର ୩୦୪୬ କୋଟି ରାଜସ୍ୱ ପାଇଥିବା ବେଳେ ୨୦୧୬-୧୭ରେ ଏହା ୪୫୨୧ କୋଟି ଟଙ୍କାରେ ପହଞ୍ଚିଛି । କେନ୍ଦ୍ରୀୟ ଟିକସ ଛ଼ଡା ରାଜ୍ୟ ସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରିଛନ୍ତି ଓ ଏହା ପଡ଼ୋଶୀ ରାଜ୍ୟ ତୁଳନାରେ ବେଶି ବୋଲି ବିଜେପି କହିଛି ।