କନକ ବ୍ୟୁରୋ : ନିର୍ବାଚନ କମିଶନ, କେଉଁଠି ଗରମ ତ କେଉଁଠି ନରମ । ଆଦର୍ଶ ଆଚରଣ ବିଧି ବଳବତର ଥିବାରୁ ମାଲକାନଗିରିରେ ଆହାର କେନ୍ଦ୍ରରୁ ହଟିଛି ନବୀନଙ୍କ ପୋଷ୍ଟର । ସରକାରୀ ଯୋଜନାର ପ୍ରଚାର ଉପରେ ବି ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ହେଲେ ରାଜଧାନୀ ନିରାମୟ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରରେ ହାତ ମାରି ପାରିନାହାନ୍ତି କମିଶନ । ଯାହାକୁ ନେଇ ପୁଣି କମିଶନଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ହଟିଲା ନବୀନଙ୍କ ପୋଷ୍ଟର । ମାଲକାନଗିରି ବସଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ରରୁ ସରକାରୀ ଯୋଜନାର ପ୍ରଚାର ସଂପର୍କୀୟ ପୋଷ୍ଟରକୁ ହଟାଇଲା ଜିଲ୍ଲା ପ୍ରଶାସନ । ବିରୋଧୀ କଂଗ୍ରେସ ଓ ବିଜେପିର ଦାବି ପରେ ଉପଜିଲ୍ଲାପାଳ ପହଂଚି ଏଲଇଡି ଟିଭି ବନ୍ଦ କରିଦେଲେ । ପ୍ରଚାର ସଂପର୍କୀତ ସିଡିକୁ ଜବତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଓ ହୋର୍ଡିଂ ବାହାର କରିବାକୁ ନିର୍ଦ୍ଦେଶ ଦେଲେ । ପଂଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତର ଥିବାବେଳେ ଶାସକ ଦଳର ଏଭଳି ପଚାର, ଜନମତକୁ ପ୍ରଭାବିତ କରିବା ପାଇଁ ଚାଲ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ସେପଟେ ବାଲେଶ୍ୱରରେ ହଟିନାହିଁ ନବୀନଙ୍କ ପୋଷ୍ଟର । ଆହାର ଓ ନିରାମୟ କେନ୍ଦ୍ରରେ ସରକାରୀ ଯୋଜନାଗୁଡିକର ପ୍ରଚାର ପତ୍ର ଲାଗିଛି । ମମତା, ହରିଶ୍ଚନ୍ଦ୍ର ଓ ମଧୁବାବୁ ପେନସନ ଯୋଜନା ପରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଲୋକଙ୍କ ଉଦ୍ଦେଶ୍ୟରେ ଲଗାଯାଇଛି । ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଯେଭଳି ନହୁଏ ସେଥିଲାଗି ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାଭଳି ମନେ ହେଉନାହିଁ । ସମ୍ବଲପୁରରେ ଥିବା ଆହାର କେନ୍ଦ୍ରଗୁଡିକରେ ମଧ୍ୟ ସମାନ ଅବସ୍ଥା ଦେଖବବାକୁ ମିଳିଛି ।

କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ହୋଇପାରିବ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନ । ସେହି କ୍ରମରେ ମାଲକାନଗିରିରେ ହଟିଛି ହୋର୍ଡିଂ । ହେଲେ ରାଜଧାନୀରେ ଲାଗିଥିବା ନବୀନଙ୍କ ପୋଷ୍ଟରରେ ହାତ ମାରିନାହାନ୍ତି କମିଶନ୍ । କାରଣ ଖୋଦ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ନିରାମୟ କେନ୍ଦ୍ରରେ ପୂର୍ବପରି ନବୀନଙ୍କ ଫଟୋ ସହ ଲାଗିରହିଛି ପୋଷ୍ଟର ।

ଦେଖନ୍ତୁ ଏହି ଭିଡିଓ :