ପୋଷ୍ଟର ପାଲଟିଛି ରାଜନୀତିର ଅସ୍ତ୍ର ! ନେତା ପାଲଟୁଛନ୍ତି ରାମ, ନେତ୍ରୀ ସାଜୁଛନ୍ତି ଦୁର୍ଗା । କିଏ ପାଲଟୁଛି ରାମ, କିଏ ରାବଣ ?

118

କନକ ବ୍ୟୁରୋ : ନିର୍ବାଚନୀ ତାତି ସହ ବଢ଼ୁଛି ପୋଷ୍ଟର ପଲିଟିକ୍ସ  । ପୋଷ୍ଟର ମାଧ୍ୟମରେ ଚାଲିଛି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ  । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଲାଗିଛି ବ୍ୟଙ୍ଗାତ୍ମକ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି, ଦିଦି  ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ ଅଛନ୍ତି । ପୋଷ୍ଟର ପାଲଟିଛି ରାଜନୀତିର ଅସ୍ତ୍ର ।

ନଜର ପକାନ୍ତୁ ଏହି ପୋଷ୍ଟରକୁ । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଲାଗିଛି ଏହି ବ୍ୟଙ୍ଗାତ୍ମକ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି, ଦିଦି ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ ଅଛନ୍ତି । ମୋଦି ସରକାରରେ ଗଣତନ୍ତ୍ର ସଙ୍କଟରେ ବୋଲି ମମତାଙ୍କ ସମାଲୋଚନାର ପୋଷ୍ଟରରେ ଦିଆଯାଇଛି ଜବାବ । ସେହିପରି ଆଉ ଏକ ପୋଷ୍ଟରରେ ଲେଖାଅଛି ଦିଦି ଏଠାରେ ଲୋକଙ୍କୁ ସମ୍ବୋଧନ କରିବାରେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ । ଆପଣ ସ୍ୱାଧୀନ ମତବ୍ୟକ୍ତ କରିପାରିବେ ।

ମମତା ପଶ୍ଚିମବଙ୍ଗରେ  ବିଜେପି ନେତାଙ୍କ ହେଲିକପ୍ଟର ଓହ୍ଲାଇବାକୁ ଦେଇନଥିଲେ । ଏହାର ଉତ୍ତରରେ ଏହି ପୋଷ୍ଟର ମରାଯାଇଥିବା ଅନୁମାନ କରାଯାଉଛି । ଦିଲ୍ଲୀର ବଙ୍ଗ ଭବନ ନିକଟରେ ଏହି ପୋଷ୍ଟର ମରାଯାଇଛି । ପୋଷ୍ଟର ତଳେ ୟୁଥ୍ ଫର ଡେମୋକ୍ରାସି ଲେଖାଯାଇଛି । ଜନ୍ତରମନ୍ତରରେ ବି ଏହି ପୋଷ୍ଟର ଲଗାଯାଇଛି ।

ନେତା ପାଲଟୁଛନ୍ତି ରାମ । ନେତ୍ରୀ ସାଜୁଛନ୍ତି ଦୁର୍ଗା । କିଏ ପାଲଟୁଛି ରାମ, କିଏ ରାବଣ ? କିଛି ଦିନ ପୂର୍ବରୁ କୁମ୍ଭମେଳା ବେଳେ ପ୍ରିୟଙ୍କା ଓ ରାହୁଲଙ୍କୁ ନେଇ କିଛି ବିବାଦୀୟ ପୋଷ୍ଟର ଲାଗିଥିଲା । ଗୋଟିଏ ପୋଷ୍ଟରରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କାକୁ ଦୁର୍ଗା ବେଶରେ ଚିତ୍ରଣ କରାଯାଇଥିଲା । ଏହାସହ ପ୍ରିୟଙ୍କା ଗଙ୍ଗାମାତାଙ୍କ କନ୍ୟା ବୋଲି ଦର୍ଶାଯାଇଥିଲା । ଠିକ୍ ସେହିପରି ରାହୁଲଙ୍କୁ ରାମ ବେଶରେ ସଜାଇ ୟୁପିରେ ଲଗାଯାଇଥିଲା ପୋଷ୍ଟର । ଏଥିରେ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇଥିଲା । ରବର୍ଟ ଭଦ୍ରା ଇଡିରେ ହାଜର ହେବା ନେଇ ବିଜେପିକୁ କାଉଂଟର କରି ପୋଷ୍ଟର ମାରିଥିଲା କଂଗ୍ରେସ । ନିର୍ବାଚନୀ ପାଖଉଥିବା ବେଳେ ଏହି ପୋଷ୍ଟର ପଲିଟିକ୍ସ ଆହୁରି ତୀବ୍ର ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ  ।