‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଥାନା ଓ ହସ୍ପିଟାଲରେ କିଭଳି ମିଳୁଛି ସେବା ? ସ୍ଥିତି ପରଖିଲା କନକ ନ୍ୟୁଜ୍, ପୁରୀରେ ପୋଲିସର ସେବା ନେଇ ପ୍ରଶ୍ନ ଉଠାଇଲେ ଲୋକ । 

400

କନକ ବ୍ୟୁରୋ : ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ କିପରି ହୋଇଛି ବ୍ୟବସ୍ଥାରେ ପରିବର୍ତନ, ଉପାନ୍ତ ଜିଲ୍ଲା ମାଲକାନଗିରିରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ମାଲକାନଗିରିର ଆଦର୍ଶ ଥାନା ଓ ମୁଖ୍ୟ ଚିକିତ୍ସାଳୟରେ ଅନୁଧ୍ୟାନ କରିବା ପରେ ବ୍ୟବସ୍ଥାରେ କିଛିଟା ସୁଧାର ଆସିଥିବା ଦେଖିବାକୁ ମିଳିଛି । ଏପଟେ ପୁରୀର କାନ୍ଥବାଡ଼ରେ ଲାଗିଛି ଅସନ୍ତୋଷର ପୋଷ୍ଟର । ୨ପୃଷ୍ଠା ସମ୍ବଳିତ ଏହି ପୋଷ୍ଟରରେ ପୋଲିସ ବିରୋଧରେ ଅଭିଯୋଗ ରହିଥିବା ବେଳେ ଏହାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ଦେଖନ୍ତୁ ଏହି ପୋଷ୍ଟରକୁ । ଉତ୍ତମ ସେବା ପାଇଁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପୁରୀରେ ଲାଗିଛି ପୋଲିସ ବିରୋଧରେ ଏପରି ପୋଷ୍ଟର । ପୁରୀ ବଡଦାଣ୍ଡରୁ ଆରମ୍ଭ କରି ବିଭିନ୍ନ ସାହିରେ ୨ପୃଷ୍ଠା ସମ୍ବଳିତ ପୋଷ୍ଟର ଲଗାଯାଇଛି । ଏଥିରେ ପୋଲିସ ବିରୋଧରେ ୨୦ଟି ଅଭିଯୋଗ ରହିଥିବା ବେଳେ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ସହରରେ ଚାଲିଥିବା ଅବାଧ ନିଶା କାରବାର, ଛୋଟ ଛୋଟ ପିଲାମାନେ ନିଶା ସେବନ କରି ଅନେକ ଅପରାଧରେ ଜଡିତ ହେବା, ବେଆଇନ ବନ୍ଧୁକ କାରବାର, ଥାନାରେ ପୋଲିସର ଅବହେଳା ସଂପର୍କରେ ଏହି ପୋଷ୍ଟରରେ ଦର୍ଶାଯାଇଛି ।

ପୋଲିସ ଓ ଡାକ୍ତରଖାନାରେ କିପରି ସେବା ଦିଆଯାଉଛି, ଏ ନେଇ ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କ ଫିଡବ୍ୟାକ୍ ନେଉଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ସରକାରୀ ସେବାକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ ହେଉଥିବା ବେଳେ ଅନ୍ୟପଟେ  ବ୍ୟବସ୍ଥା ବିରୋଧରେ ଥିବା ଲୋକଙ୍କ ପଂଜିଭୁତ ଅସନ୍ତୋଷ ସାମନାକୁ ଆସିଛି ।

ଲୋକଙ୍କ ଅସେନ୍ତାଷ ସାମନାକୁ ଆସିଥିବା ବେଳେ ମୋ ସରକାର ଯୋଜନା କିପରି କାର୍ଯ୍ୟକାରୀ ହେଉଛି, ଉପାନ୍ତ ଜିଲ୍ଲା ମାଲକାନଗିରିରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।  ଏ ହେଉଛି ମାଲକାନଗିରିର ଆଦର୍ଶ ଥାନା । ମୋ ସରକାର କାର୍ଯ୍ୟକ୍ରମ ପରେ ଆଜି ଥାନାର ସ୍ଥିତିରେ ସୁଧାର ଆସିଥିବା ପରିଲଖିତ ହୋଇଛି । ଅଭିଯୋଗ ପାଇବା ମାତ୍ରେ ଅଭିଯୋଗକାରୀଙ୍କୁ ସାଙ୍ଗେ ସାଙ୍ଗେ ପ୍ରାପ୍ତିପତ୍ର ଦେଉଛି ମାଲକାନଗିରି ପୁଲିସ । ଏଥିରେ ତଦନ୍ତକାରୀ ଅଧିକାରୀଙ୍କ ନାମ ଓ ଫୋନ ନମ୍ବର ସହ ଆଇଆଇସିଙ୍କ ମୋବାଇଲ ନମ୍ବର ମଧ୍ୟ ଦିଆଯାଉଛି । ଅଭିଯୋଗକାରୀଙ୍କ ସହ ଭଲ ବ୍ୟବହାର କରାଯାଉଥିବା କହିଛନ୍ତି ଥାନା ଅଧିକାରୀ ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିପରି ରୋଗୀ ସେବା ହେଉଛି, ସେ ନେଇ ମଧ୍ୟ ସ୍ଥିତି ପରଖିଛି କନକ ନ୍ୟୁଜ । ଦ୍ୱିତୀୟ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥାରେ କିଛିଟା ସୁଧାର ଆସିଥିବା ଦେଖିବାକୁ ମିଳିଛି । ଏକ୍ସରେ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ଶୃଙ୍ଖଳାର ସହ ଚାଲିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଡାକ୍ତରଖାନାରେ କେବଳ ଗୋଟିଏ ଲିଫ୍ଟ କାମ କରୁ ଥିବା ବେଳେ ବର୍ତ୍ତମାନ ରୋଗୀଙ୍କ ଲାଗି ଉଦ୍ଦିଷ୍ଟ ଦୁଇଟି ଯାକ ଲିଫ୍ଟ ଚାଲୁଥିବା ଦେଖିବାକୁ ମିଳିଛି । କନକ ନ୍ୟୁଜ ଗୁପ୍ତ କ୍ୟାମେରାରେ ଅନେକ ରୋଗୀ ଏହି ନୂଆ ବ୍ୟବସ୍ଥାରେ ଖୁସିଥିବା କହିଛନ୍ତି ।

ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାର ଦ୍ୱିତୀୟ ଦିନରେ ବିଧି ବ୍ୟବସ୍ଥାରେ ବଦଳିଥିବା ଦେଖିବାକୁ ମିଳିଛି । ତେବେ, ଯେଉଁ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ତା’ର ବାସ୍ତବ ରୂପାୟନ କିପରି ହେଉଛି, କିପରି ଲୋକ ଉନ୍ନତମାନର ସରକାରୀ ସେବା ପାଉଛନ୍ତି, ଏହା ଉପରେ ରହିଛି ସମସ୍ତଙ୍କ ନଜର ।