କନକ ବ୍ୟୁରୋ: ଅସ୍ତରଙ୍ଗ ସମୁଦ୍ରରୁ ମାଛ ମାରି ଆଣୁଥିବା ବ୍ୟବସାୟୀ ଏହାକୁ ଦୀର୍ଘଦିନ ତାଜା ରଖିବା ପାଇଁ ଏଥିରେ କେମିକାଲ ବ୍ୟବହାର କରୁଛନ୍ତି । ଫର୍ମାଲ ଡିହାଇଡ ନାମକ ଏକ ମାରାତ୍ମକ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାଛକୁ ତଟକା ରଖିବା ପାଇଁ ବ୍ୟବହାର ହେଉଥିବା ଏହି କେମିକାଲ ମୃତଦେହକୁ ସଂରକ୍ଷଣ କରିବାକୁ ବ୍ୟବହାର ହୁଏ ।

ଅର୍ଥାତ ମଣିଷ ମରିବା ପରେ ତାର ମୃତଦେହ ଯେପରି ଶଢିନଯାଏ, ସେଥିପାଇଁ ଏହି କେମିକାଲ ଦେଇ ସଂରକ୍ଷିତ କରାଯାଏ । ସମୁଦ୍ରରୁ ମାଛ ମାରିବା ପରେ ସାଧାରଣତଃ ବରଫ ଦେଇ ଏହାକୁ ସଂରକ୍ଷିତ କରାଯାଏ । କିନ୍ତୁ ବରଫ ବାବଦରେ ହେଉଥିବା ଖର୍ଚ୍ଚଠାରୁ ଏହି କେମିକାଲର ମୂଲ୍ୟ କମ୍ ଓ କମ୍ ପରିମାଣର କେମିକାଲ ଅଧିକ ପରିମାଣର ମାଛ ସଂରକ୍ଷିତ ରଖିବାକୁ ସକ୍ଷମ ହୋଇଥିବାରୁ ମାଛ ବ୍ୟବାସୟାଙ୍କର ଏହା ପ୍ରଥମ ପସନ୍ଦ ।

ସେପଟେ, ତଟକା ମାଛରେ ମାରାତ୍ମକ ରସାୟନ ପଦାର୍ଥ ମିଶାଇବା ଘଟଣାରେ ଆଜିଠାରୁ ତଦନ୍ତ ଆରମ୍ଭ ହେବ । ପୁରୀ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୪ଜଣିଆ ଟିମ ଏହାର ତଦନ୍ତ ଆରମ୍ଭ କରିବେ । ଅସ୍ତରଙ୍ଗ ଥାନା ଓ ସାମୁ୍ଦ୍ରିକ ଥାନାର ଅଧିକାରୀ ମାନେ ମଧ୍ୟ ଏଥିରେ ସାମିଲ ହେବେ । ଅସ୍ତରଙ୍ଗ ମାଛ ହାଟକୁ ଯାଇ ମାଛରେ ରସାୟନ ପଦାର୍ଥ ମିଶୁଥିବା ଘଟଣାର ସତ୍ୟାସତ୍ୟ ଯାଂଚ କରିବ ଟିମ । ନମୂନା ସଂଗ୍ରହ କରି ଏହାକୁ ଯାଂଚ ପାଇଁ ପଠାଯିବ । ଏହାସହ ନୂଆଗଡରେ ଥିବା ମାଛ ଧରା ବନ୍ଦରକୁ ଯାଇ ମଧ୍ୟ ଟିମ ଛାନଭିନ କରିବ ।