ଶିଳ୍ପ ବିଭାଗକୁ ପସ୍କୋ କର୍ତୃପକ୍ଷଙ୍କ ଚିଠି : ପ୍ରକଳ୍ପ ବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚିଠିରେ ଉଲ୍ଲେଖ

43

କନକ ବ୍ୟୁରୋ : ପ୍ରକଳ୍ପ ନେଇ ଆଉ ଅନିଶ୍ଚିତତା ମଧ୍ୟରେ ରହିବାକୁ ଚାହୁଁନାହିଁ ପସ୍କୋ । ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ପସ୍କୋ କର୍ତୃପକ୍ଷ । ପସ୍କୋ ବାବଦରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ସ୍ପଷ୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପ୍ରକଳ୍ପ ନେଇ ଏମଓୟୁ ହେବାର ୧୨ ବର୍ଷ ପରେ ଆଉ ଅନିଶ୍ଚିତତା ମଧ୍ୟ ରହିବାକୁ ଚାହୁଁନାହାନ୍ତି ପସ୍କୋ କର୍ତୃପକ୍ଷ ।

ସରକାରଙ୍କ ଠାରୁ ଉତର ମିଳିବା ପରେ ଏ ନେଇ ଚୂଡାନ୍ତ ନିଷ୍ପତି ନେଇପାରେ ପସ୍କୋ । ୨୦୦୫ ମସିହାରେ ପସ୍କୋ ସହ ରାଜ୍ୟ ସରକାରଙ୍କ ଏମଓୟୁ ହୋଇଥିଲା । ୫୨ ହଜାର କୋଟି ଟଙ୍କାର ବିଦେଶ ପୁଂଜି ନିବେଶ ନେଇ ବେଶ ଉତ୍ସାହିତ ହୋଇଥିଲେ ରାଜ୍ୟ ସରକାର । ତେବେ ପ୍ରଥମରୁ ହିଁ ବିବାଦ ଭିତରେ ଛନ୍ଦି ହୋଇ ଯାଇଥିଲା ଏହି ବିଶାଳ ଷ୍ଟିଲ ପ୍ରକଳ୍ପ । ପରିବେଶ ମଂଜୁରୀ, ଜମି ଅଧିଗ୍ରହଣ, ସ୍ଥାନୀୟ ଅଂଚଳରେ ପ୍ରବଳ ବିରୋଧ, ଖଣି ଲିଜ୍ ନେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଥିଲା ଏହି ପ୍ରକଳ୍ପ ।

ପସ୍କୋ ମଧ୍ୟ ଏହି ପ୍ରକଳ୍ପ ଆଡୁ ଧିରେ ଧିରେ ମୁହଁ ଫେରାଇ ନେଉଥିଲା । ଏବେ ପସ୍କୋ ପକ୍ଷରୁ ଏହି ଚିଠି ଇଙ୍ଗିତ କରୁଛି ଯେ ପସ୍କୋ କର୍ତୃପକ୍ଷ ଆଉ ଅନିଶ୍ଚିତତା ଭିତରେ ନରହି ଏକ ନିର୍ଣ୍ଣାୟକ ସ୍ଥିତିରେ ପହଁଚିବାକୁ ଚାହୁଁଛନ୍ତି ।