ରାଜ୍ୟ ମୁଣ୍ଡରେ ପସ୍କୋ ଅଠା ବୋଳିଲା କେନ୍ଦ୍ର ! ଇସ୍ପାତମନ୍ତ୍ରୀଙ୍କ ବୟାନ, ଜମି ଯୋଗାଇପାରିଲେନି ରାଜ୍ୟ ସରକାର, ଫେରିଗଲା ପସ୍କୋ ଓ ମିତଲ୍

32

କନକ ବ୍ୟୁରୋ: ପସ୍କୋ ଓ ମିତଲ୍ ଭଳି ଶିଳ୍ପସଂସ୍ଥା ଓଡ଼ିଶାରୁ ଚାଲିଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦୋଷଦେଲା କେନ୍ଦ୍ର । ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବୟାନ ରଖିଛନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ଜମି ଅଧିଗ୍ରହଣ ସମସ୍ୟା କାରଣରୁ ସବୁଠାରୁ ବଡ଼ ବିଦେଶୀ ପୁଞ୍ଜି ନିବେଶ ଯୋଜନା ରଖିଥିବା ପସ୍କୋ ଭଳି ଶିଳ୍ପସଂସ୍ଥା ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା କରିବା ସମ୍ଭବ ହେଲାନାହିଁ । ମୋଦି ସରକାର କ୍ଷମତାକୁ ଆସିବା ପରେ ଜମି ଅଧିଗ୍ରହଣ ସଂଶୋଧନ ବିଲ୍ ଆଣିଥିଲେ । ହେଲେ ରାଜ୍ୟସଭାରେ ସଂଖ୍ୟା କମ୍ ଥିବାରୁ ଏଥିରୁ ଓହରିବାକୁ ପଡିଥିଲା ।

ସେପଟେ ଜମି ଅଧିଗ୍ରହଣ ପାଇଁ ପ୍ରତିବାଦ ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେଣୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି କହି ଓଡ଼ିଶା ସରକାରଙ୍କ ଉପରକୁ ଦୋଷ ଠେଲିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ପସ୍କୋ ଓ ମିତଲ୍ ପ୍ରସଙ୍ଗରେ କଣ ହେଲା ତାହା ଆପଣମାନେ ଭଲଭାବେ ଜାଣିଛନ୍ତି ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ।