ଏ ଆମ ସ୍ମାର୍ଟସିଟି । ଅସରାଏ ବର୍ଷାରେ ଭୁବନେଶ୍ୱରରେ ଭାସିଲା ବସ୍, ବୋଟର ବ୍ୟବସ୍ଥା କରିବାକୁ ସୋସିଆଲ ମିଡିଆରେ କହିଲେ ଲୋକେ
କନକ ବ୍ୟୁରୋ : କେଇ ଘଂଟାର ବର୍ଷାରେ ବିଗିଡି ଯାଇଛି ସାରା ରାଜ୍ୟର ଚିତ୍ର । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି । ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି । ରାଜପଥ ମଝିରେ ଅଟକି ଯାଇଛି ଯାତ୍ରୀବାହି ବସ୍ । ଆଚାର୍ଯ୍ୟ ବିହାର ଏବଂ ଜୟଦେବ ବିହାର ଅଂଚଳରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଘର ଭିତରେ ଭାସୁଛି ଆସବାବପତ୍ର । ଲୋକେ ନଖାଇ ନପିଈ ପାଣି କମିବାକୁ ଅପେକ୍ଷା କରି ରହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାସ୍ତାରେ ପାଣି ନା’ ପାଣିରେ ରାସ୍ତା ତାହା ଜାଣିବା ସେତେବେଳେ କଷ୍ଟ ହୋଇଯାଏ, ଯେତେବେଳେ ରାଜପଥରେ ବସ୍ ଗଡ଼ିବା ବଦଳରେ ଭାସିବା ସ୍ଥିତିରେ ନଜର ଆସେ । ଭୁବନେଶ୍ୱର ଇସ୍କନ୍ ସାମ୍ନାର ଏଭଳି ସ୍ଥିତି ଦେଖିବା ପରେ ମନରେ ଗୋଟିଏ କଥା ଉଙ୍କି ମାରୁଛି ଯେ, ବର୍ଷା ଦିନେ ଏହି ରାସ୍ତାରେ ବସ୍ ଚାଲିବ ନା’ ବୋଟ୍ ଚାଲିବ ।ଯାତାୟତରେ ଲୋକଙ୍କ ସାହାରା ହେଉଥିବା ବସ୍, ଏବେ ପାଣି ଘେରରୁ ମୁକୁଳିବା ପାଇଁ ଲୋକଙ୍କ ସାହାରାକୁ ଚାହିଁ ରହିଛି । ଆଉ ପାରୁ ପର୍ଯ୍ୟନ୍ତେ ବସଟିକୁ ଠେଲି ଠେଲି କୃତ୍ରିମ ବନ୍ୟାରୁ ଉଦ୍ଧାର କରୁଛନ୍ତି । ଲୋକମାନେ ଅଟକି ରହିଥିବା ବସଟିକୁ ଠେଲୁ ନାହାଁନ୍ତି, ବରଂ ପ୍ରଶାସନର ଅପାରକତାକୁ କୂଳରେ ଲଗାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ।
ସ୍ମାର୍ଟସିଟି ଭୁବନେଶ୍ୱର । କିନ୍ତୁ ବର୍ଷା ଆରମ୍ଭ ହେବା ମାତ୍ରେ ରାଜଧାନୀକୁ ସ୍ମାର୍ଟସିଟି କହିବାକୁ ଲାଜ ଲାଗୁଛି । କାରଣ ଯେଉଁ ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଆମେ ଗର୍ବ କରୁଛୁ ସେଠାରେ ବର୍ଷା ହେଲେ ଘର ଭିତରେ ଅଣ୍ଟାଏ ପାଣି । କେଇ ଘଂଟାର ବର୍ଷାରେ ଯେମିତି ଅଚଳ ହୋଇଯାଇଛି ଜୀବନ ଯାତ୍ରା । ଖାଇବା ପିଈବା କଥା ଭୁଲି ଯାଆନ୍ତୁ, ଘରେ ପାଦ ରଖିବାକୁ ଜାଗା ନାହିଁ । ପୋଖରୀର ଭ୍ରମ ସୃଷ୍ଟି କରୁଥିବା ଘର ଭିତରେ ଯେମିତି ଅସହାୟ ପାଲଟି ଯାଇଛି ମଣିଷ । ସ୍ୱେରେଜ୍ ଓ ଡ୍ରେନେଜର ଲମ୍ବା ଲମ୍ବା ପ୍ରତିଶ୍ରୁତି, ସତେ ଯେମିତି ଏହି ବର୍ଷା ପାଣିରେ ଧୋଇ ହୋଇଯାଇଛି । ଆଚାର୍ଯ୍ୟ ବିହାରର ସ୍ଥିତି ଦେଖିଲେ ଯେ, କେହି ବି ଆଶ୍ଚର୍ଯ୍ୟ ହୋଇଯିବ, କାରଣ ବର୍ଷା ଦିିନେ ପ୍ରଶାସନ ଏକ ଅସ୍ଥାୟୀ ବୋଟ୍ ବ୍ୟବସ୍ଥା କାହିଁକି କରୁନାହିଁ । ବର୍ଷ ବର୍ଷ ଧରି ଏଠି ସମାନ ସ୍ଥିତି, ପାଣି ନିଷ୍କାସନ ପାଇଁ ଯଦି କୌଣସି ବ୍ୟବସ୍ଥା ହୋଇପାରୁ ନାହିଁ, ତେବେ ବର୍ଷା ଦିନେ ଅସ୍ଥାୟୀ ବୋଟିଂ ବ୍ୟବସ୍ଥା କରିବାରେ ଅସୁବିଧା କେଉଁଠି ।
କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ସମାନ ସ୍ଥିିତି, ବର୍ଷା ୪ମାସ କେମିତି କଟିବ ତାହା ଭାବିଲା ବେଳକୁ ଲୋକଙ୍କ ଚିନ୍ତା ବଢ଼ି ଯାଉଛି । କାରଣ ଅସରାଏ ବର୍ଷାରେ ଏହି ସ୍ଥିତି । ଆଗକୁ ଆହୁରି ବର୍ଷିବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏପଟେ ବର୍ଷ ବର୍ଷ ଛିଡା ହୋଇଥିବା ପୁରୀ ମାର୍କଣ୍ଡ ପୋଖରୀର ପାଚେରୀ, ଲଗାଣ ବର୍ଷାର ହାର୍ ମାନିଯାଇଛି । ଗଳି ପଡ଼ିଛି ଶହେ ଫୁଟର ପାଚେରୀ । ଏହି ପାଚେରୀ ଭାଙ୍ଗି ଯିବା ସହ ସହରକୁ ଏକ ଅନିଶ୍ଚିତ ବିପଦ ମାଡି ଆସିଛି ।ବର୍ଷାରେ କେବଳ ଯେ ସହରର ଅବସ୍ଥା ବେହାଲ ତାହା ନୁହେଁ ଓଡ଼ିଶା ଐତିହ୍ୟ କୋଣାର୍କ ମଧ୍ୟ ବର୍ଷା ପାଣିରେ ବନ୍ଧା ପଡିଛି । ଚାରିଆଡୁ ଘେରି ଯାଇଛି ବର୍ଷା ଜଳ । ଯାହା କୋଣାର୍କ ସୁରକ୍ଷା ନେଇ ସୃଷ୍ଟି କରିଛି ଏକ ବଡ ପ୍ରଶ୍ନବାଚୀ ।